fbpx
BSKY
BJD MC SKY
BJD MS SKY

ବାଲେଶ୍ୱରରେ ହେବ ତ୍ରିମୁଖୀ ଲଢ଼େଇ: ଗତ ୧୫ ବର୍ଷ ଧରି ନୂଆ ଦଳକୁ ନିର୍ବାଚିତ କରିଆସିଛନ୍ତି ଭୋଟର, ଏଥର କ’ଣ ଘଟିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶ ଏବେ ରାଜନୀତିମୟ ହୋଇ ଉଠିଛି । ନିକଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବହୁବାର ସମୀକ୍ଷା କରିବା ପରେ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରୁଛନ୍ତି । ଏଭଳି ସ୍ଥିତିରେ ଟିକେଟ କଟିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ବେଳେ ଏଭଳି କିଛି ନେତାଙ୍କୁ ଅନ୍ୟ ଦଳ ବି ପ୍ରାର୍ଥୀ କରୁଥିବା ଦେଖାଯାଉଛି । ଦେଶ ଓ ରାଜ୍ୟର ବିଭିନ୍ନ ଆସନରେ ବିଦ୍ରୋହୀ ପ୍ରାର୍ଥୀ ଏବେ ସବୁ ଦଳ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛନ୍ତି ।

ତେବେ ଏଥର ରାଜ୍ୟର ବାଲେଶ୍ୱର ଲୋକସଭା ଆସନରେ ରୋଚକ ଲଢ଼େଇ ଦେଖିବାକୁ ମିଳିବ । ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର, ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ କଂଗ୍ରେସରୁ ଶ୍ରୀକାନ୍ତ ଜେନା ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ଏହି ଆସନରେ ପ୍ରତାପଙ୍କୁ ରିପିଟ୍ କରିଥିବା ବେଳେ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତଙ୍କ ପରି ଜଣେ ହେଭିୱେଟଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେଡି ଏହି ଆସନରେ ମହିଳା କାର୍ଡ ଖେଳିଛି । ନିକଟରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀଙ୍କ ଉପରେ ଏଥର ବିଜେଡି ଭରସା କରିଛି । ଦକ୍ଷତା ଆଧାରରେ ତିନି ନେତା କେହି କାହାଠାରୁ କମ୍ ନୁହନ୍ତି । ତେଣୁ ଏଥର ଜନତା କାହାକୁ ଚୟନ କରିବେ ତାହା ଏବେ ବଡ଼ ପ୍ରଶ୍ନ ।

ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି ପାଖରେ ୪ଟି, ବିଜେପି ପାଖରେ ୨ଟି ଓ କଂଗ୍ରେସ ପାଖରେ ଗୋଟିଏ ଆସନ ରହିଛି । ଅନ୍ୟପକ୍ଷରେ ଲୋକସଭା ଆସନ ବିଜେପି ପାଖରେ ରହିଛି । ତେଣୁ ବିଧାନସଭା ଆସନ ବିଜୟକୁ ଏଠାରେ ମୁଖ୍ୟ ଆଧାର ଭାବେ ଗ୍ରହଣ କରିହେବ ନାହିଁ । ଗତ ୧୫ ବର୍ଷ ହେଲା ଏହି ଆସନରେ ପ୍ରତ୍ୟେକ ଥର ନୂଆ ଦଳକୁ ଚୟନ କରିଛନ୍ତି ବାଲେଶ୍ୱର ଭୋଟର । ତେଣୁ ଏଥର ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ । ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହି ଆସନରେ ଭାଜପା ପ୍ରାର୍ଥୀ ଖାରବେଳ ସ୍ୱାଇଁ ଜିତିଥିଲେ । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ, ୨୦୧୪ରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା, ୨୦୧୯ରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିତିଥିଲେ ।

ଗତ ନିର୍ବାଚନରେ ପ୍ରତାପ ଓ ରବୀନ୍ଦ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ପାଖାପାଖି ୧୩ ହଜାର ଭୋଟରେ ପ୍ରତାପ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପାଖପାଖି ୧.୮ ଲକ୍ଷ ଭୋଟ ପାଇଥିଲେ । ମାତ୍ର ୨୦୧୪ରେ ପ୍ରତାପଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ରବୀନ୍ଦ୍ର । ସେହି ଥର ଶ୍ରୀକାନ୍ତ ମଧ୍ୟ କଡ଼ା ଟକ୍କର ଦେଇଥିଲେ । ସମୟ ବଦଳିବା ସହିତ ବାଲେଶ୍ୱର ବାସିନ୍ଦାଙ୍କ ମନ ମଧ୍ୟ ପରିବର୍ତ୍ତନ ହେଉଛି ତାହା ଅତୀତର ଫଳାଫଳରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ତେଣୁ ଏଥର କ’ଣ ଘଟିବ ତାହା ଆକଳନ କରିବା ନିହାତି ମୁସ୍କିଲ । ମାତ୍ର ଏଥର ଏହି ଆସନରେ ନିଶ୍ଚିତ ଭାବେ ତ୍ରିମୁଖୀ ଲଢ଼େଇ ହେବ ।

Get real time updates directly on you device, subscribe now.