fbpx

COP26: ଜଳବାୟୁ କୂଟନୀତିରେ ଭାରତକୁ ବଡ଼ ଜିତ୍, ଶେଷ ମୁହୂର୍ତ୍ତରେ ଦୁନିଆକୁ ମନାଇବାରେ ହେଲା ସଫଳ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ରୋକିବା ଲକ୍ଷ୍ୟରେ ଗ୍ଲାସ୍ଗୋରେ ଚାଲିଥିବା ମିଳିତ ଜାତିସଂଘର ସମ୍ମିଳନୀ କପ୍୨୬ ରେ ଭାରତ ଆନ୍ତର୍ଜାତୀୟ କୂଟନୀତି ସ୍ତରରେ ଏକ ବଡ଼ ବିଜୟ ହାସଲ କରିଛି। ଏଠାରେ ହୋଇଥିବା ସମ୍ମିଳନୀରେ ଅନେକ ଦିନ ଆଲୋଚନା ପରେ ଭାରତ ‘ଫେଜ୍ ଆଉଟ୍’ ପରିବର୍ତ୍ତେ କୋଇଲାକୁ ‘ଫେଜ୍ ଡାଉନ୍’ ରେ ଅନ୍ତର୍ଭୁକ୍ତ କରିବାକୁ ବିଶ୍ୱର ଅନ୍ୟ ସଦସ୍ୟ ଦେଶମାନଙ୍କୁ ମନାଇବାରେ ସଫଳ ହୋଇଛି। ଏହି କଥାରେ ସହମତ ପ୍ରକାଶ ପରେ ଭାରତ ଶେଷରେ କପ୍୨୬ ଡ୍ରାଫ୍ଟକୁ ସମର୍ଥନ କରିଥିଲା । ଯାହାକୁ ପ୍ରାୟ ୨୦୦ଟି ଦେଶ ଦ୍ୱାରା ପାରିତ କରାଯାଇଥିଲା ।

ଗ୍ଲୋବଲ୍ ୱାର୍ମିଂ ଲକ୍ଷ୍ୟକୁ ଜୀବିତ କରିବା ଉଦ୍ଦେଶ୍ୟରେ ଗ୍ଲାସଗୋରେ ହୋଇଥିବା ଜଳବାୟୁ ଚୁକ୍ତିନାମାରେ ଗ୍ଲୋବାଲ୍ ୱାର୍ମିଂକୁ ୧.୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମ୍ କରିବା ଲକ୍ଷ୍ୟକୁ ହାସଲ କରିବା ଉଦ୍ଦେଶ୍ୟ ରଖାଯାଇଛି । ଏଥିରେ ଭାରତ ଓ ଚୀନ ଶେଷ ମୁହୂର୍ତ୍ତରେ ଜୀବାଶ୍ମ ଓ କୋଇଲା ଇନ୍ଧନକୁ ପର୍ଯ୍ୟାୟକ୍ରମେ ସମାପ୍ତ କରିବା ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଥିଲେ ଓ ସେଥିରେ ସଫଳ ମଧ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଅନ୍ତିମ ଡ୍ରାଫ୍ଟରେ କୋଇଲା ଏବଂ ଜୀବାଶ୍ମ ଇନ୍ଧନ ସବସିଡି ଛାଡ ପ୍ରସଙ୍ଗରେ ତୀବ୍ର ମତଭେଦ ଦେଖାଦେଇଥିବା କଥା ସାମନାକୁ ଆସିଛି । ଇରାନ, ଭେନେଜୁଏଲା ଏବଂ କ୍ୟୁବା ସମେତ ଭାରତ, ଚୀନ୍ ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶ ଏହି ବ୍ୟବସ୍ଥାକୁ ବିରୋଧ କରି ଅସ୍ଥାୟୀ କୋଇଲା ଶକ୍ତି ଏବଂ ଅପାରଗ ଜୀବାଶ୍ମ ଇନ୍ଧନ ସବସିଡି ବନ୍ଦ କରିବା ଉଦ୍ୟମକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି।

 

Get real time updates directly on you device, subscribe now.