ନୂଆଦିଲ୍ଲୀ: କ୍ୱାର୍ଟର ଫାଇନାଲରେ ନେପାଳକୁ ମାତ୍ ଦେଇ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଋତୁରାଜଙ୍କ ନେତୃତ୍ୱରେ ଏସିଆନ୍ ଗେମ୍ସର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ଶତକ ଏବଂ ପରେ ଦଳର ଘାତକ ବୋଲିଂରେ ନେପାଳ ଚକମା ଖାଇଛି । ଫଳରେ ୨୩ ରନରେ ଏହି ମ୍ୟାଚ ଉପରେ କବଜା କରିଛି ଋତୁରାଜ ସେନା । ତେବେ ଭାରତ ପକ୍ଷରୁ ରବି ବିଷ୍ଣୋଇ ଏବଂ ଆଭେଶ ଖାନ୍ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଆର ସାଇ କିଶୋର ଏହି ମ୍ୟାଚରେ ଗୋଟିଏ ସଫଳତା ହାସଲ କରିଛନ୍ତି । ନେପାଳ ପକ୍ଷରୁ ଡି.ଏସ ଆରି ସର୍ବାଧିକ ୩୨ ରନ୍ ସଂଗ୍ରହ କରିଥିଲେ । ଏହାବ୍ୟତୀତ ସୁନଦୀପ ଜୋରା ଏବଂ କୁଶଲ ମଲ୍ଲା ୨୯ ରନ୍ ଲେଖାଏଁ କରିଥିବା ବେଳେ କୁଶଲ ଭୁର୍ତେଲ ୨୮ ରନ୍ ସଂଗ୍ରହ କରିଛନ୍ତି । ଏହାପରେ ମଧ୍ୟ ବିଜୟ ଲକ୍ଷ୍ୟରୁ ୨୩ ରନ ଦୂରରେ ରହିଯାଇଛି ନେପାଳ ।
ଏସିଆନ୍ ଗେମ୍ସର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦଳ ତରଫରୁ ଓପନିଙ୍ଗ କରିବାକୁ ମଇଦାନକୁ ଆସିଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ଯଶସ୍ୱୀ ଜଏସ୍ୱାଲ । ତେବେ ଋତୁରାଜ ମାତ୍ର ୨୩ ବଲରୁ ୨୫ ରନ୍ କରି ପାଭିଲିୟନ ଫେରି ଯାଇଥିଲେ । ଏହାପରେ ତିଲକ ବର୍ମା ଏବଂ ୱିକେଟ କିପର ଜିତେଶ ଶର୍ମା ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ ଯଶସ୍ୱୀଙ୍କ ସାଥ୍ ଦେଇ ନଥିଲେ । ତେବେ ଗୋଟିଏ ପକ୍ଷରେ ଭାରତ ୱିକେଟ ହରାଉଥିବା ବେଳେ ଅନ୍ୟ ପକ୍ଷରେ ରହି ଯଶସ୍ୱୀ ନିଜର ଶତକ ହାସଲ କରିଛନ୍ତି । ମାତ୍ର ୪୮ ବଲରୁ ବିସ୍ପୋରକ ଶତକ ହାସଲ କରିଛନ୍ତି ଜଶସ୍ୱୀ ଜଏସ୍ୱାଲ । ଏହି ଶତକୀୟ ଇନିଂସରେ ୮ଟି ଚୌକା ସହିତ ୭ଟି ବିଶାଳକାୟ ଛକା ସାମିଲ ରହିଛି । ତେବେ ଶତକ ଅର୍ଜନ କରିବାର ପରବର୍ତ୍ତୀ ବଲରେ ବଡ଼ ଶଟ୍ ଖେଳିବାକୁ ଯାଇ ପାଭିଲିୟନ ଫେରିଛନ୍ତି ଜଏସ୍ୱାଲ । ତେବେ ଏହି ଶତକ ହାସଲ କରି ଇତିହାସ ରଚିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଏହି ବିସ୍ଫୋରକ ଶତକ ସହିତ ସେ ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ଶତକବୀର ପାଲଟିଛନ୍ତି ।