(video) ଧୂଳି ଝଡ଼ରେ ଫସିଗଲା ଇଣ୍ଡିଗୋ ବିମାନ, ଭୟରେ ଚିତ୍କାର କଲେ ଯାତ୍ରୀ, ଭିଡ଼ିଓ ଭାଇରାଲ

ଅବତରଣ ପୂର୍ବରୁ ପାଗରେ ପରିବର୍ତ୍ତନ।

ନୂଆଦିଲ୍ଲୀ:  ଶନିବାର ରାୟପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ନମ୍ବର 6E 6313  ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଦିଲ୍ଲୀ ବିମାନବନ୍ଦର ନିକଟରେ ପହଞ୍ଚିବା ମାତ୍ରେ ହଠାତ୍ ଧୂଳିଝଡ଼ ଆସିଥିଲା।

ଏହି ଖରାପ ପାଗ ଏବଂ ୮୦ କିଲୋମିଟର ବେଗରେ ପ୍ରବଳ ପବନ ଯୋଗୁଁ ବିମାନଟିକୁ ଅବତରଣ କରିବା ପୂର୍ବରୁ ଫେରିବାକୁ ପଡିଥିଲା। ଆଉ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଅବତରଣ ପୂର୍ବରୁ ପାଗରେ ପରିବର୍ତ୍ତନ:  ଏହି ଇଣ୍ଡିଗୋ ବିମାନଟି ରାୟପୁରରୁ ଦିଲ୍ଲୀ ଅଭିମୁଖେ ନିର୍ଦ୍ଧାରିତ ସମୟରେ ଯାତ୍ରା କରିଥିଲା। କିନ୍ତୁ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଯିବା ମାତ୍ରେ ହଠାତ୍ ପାଗ ପରିବର୍ତ୍ତନ ହୋଇଗଲା।

ରାଜଧାନୀ ଦିଲ୍ଲୀରେ ଏକ ପ୍ରବଳ ଧୂଳିଝଡ଼ ଆରମ୍ଭ ହୋଇଥିଲା, ଯାହା ଫଳରେ ରନଓ୍ୱେର ରାସ୍ତା ଦେଖାଯାଇନଥିଲା। ଯେତେବେଳେକି ବିମାନଟି ଭୂମିରୁ ମାତ୍ର କିଛି ମିଟର ଉପରେ ଥିଲା।

ଆଉ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିଲା। ପାଇଲଟ୍ ଯାତ୍ରୀମାନଙ୍କୁ ଜଣାଇଥିଲେ ଯେ ପାଗ ଅନୁକୂଳ ନୁହେଁ ଏବଂ ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟରରେ ପହଞ୍ଚିଛି। ତେଣୁ ବିମାନଟି ଅବତରଣ ନକରି ଫେରିଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆକାଶରେ ଉଡ଼ିଲା:  ଏହାପର ପାଇଲଟ୍ ବିମାନଟିକୁ ସୁରକ୍ଷିତ ଭାବରେ ଉପରକୁ ଉଠାଇଲେ ଏବଂ ତାପରେ ବିମାନବନ୍ଦର ଚାରିପାଖରେ ଘୂରିବାକୁ ଲାଗିଲେ। ଯାହା ଫଳରେ ପାଗରେ ଟିକେ ପରିବର୍ତ୍ତନ ହେବା ମାତ୍ରେ ସେ ବିମାନ ଅବତରଣ କରିପାରିବେ।

ଆଉ ଏହି ସମୟରେ ବିମାନରେ ଥିବା ଯାତ୍ରୀମାନେ ବି ଟିକେ ଭୟଭୀତ ହୋଇଯାଇଥିଲେ। ଏବଂ ଚିତ୍କାର କରିବାକୁ ଲାଗୁଥିଲେ, ହେଲେ ପାଇଲଟ୍ ମଝିରେ ମଝିରେ ଘୋଷଣା କରି ସମସ୍ତ ଯାତ୍ରୀମାନଙ୍କୁ ଆଶ୍ୱସ୍ତ କରୁଥିଲେ କି ସ୍ଥିତି ନିୟନ୍ତ୍ରଣରେ ଅଛି।

ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଦୁର୍ଘଟଣା ଏଡ଼ାଇଦେଲା:  ଏହି ଘଟଣା ପରେ ବିମାନ କର୍ମଚାରୀ ଏବଂ ପାଇଲଟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରାଯାଉଛି। କାରଣ ଯଦି ଏପରି ପାଗରେ ଜୋରଜବରଦସ୍ତ ଅବତରଣ କରିବାକୁ ଚେଷ୍ଟା କରାଯାଇଥାନ୍ତା, ତେବେ ଏକ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ଥିଲା।

ଶେଷରେ ପାଗ ଟିକିଏ ସ୍ୱାଭାବିକ ହେବା ପରେ, ପାଇଲଟ ଦିଲ୍ଲୀ ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରାଇଥିଲେ। ବିମାନ ଅବତରଣ ପରେ ଯାତ୍ରୀମାନେ ଆଶ୍ୱସ୍ତିରେ ନିଶ୍ୱାସ ମାରିଥିଲେ ଏବଂ ଅନେକ ଯାତ୍ରୀ ପାଇଲଟ ଏବଂ ବିମାନ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।