କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା; କହିଲେ ରାଜ୍ୟରେ ନାହିଁ ଚିନ୍ତାଜନକ ସ୍ଥିତି, ସଂକ୍ରମଣ ବଢ଼ିଲେ ବଢ଼ିପାରେ କଟକଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାର ଦେଖାଯାଉଛି । ରାଜଧାନୀ ଦିଲ୍ଳୀରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏମିତିକି ଗୋଟିଏ ଦିନରେ ଦେଶରେ ୨୦ ହଜାର ରୁ ଅଧିକ ମାମଲା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍ଥିତି ଭଲ ରହିଥିଲେ ବି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ଏହାରି ମଧ୍ୟରେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ କିଛି ପରିମାଣରେ ସଂକ୍ରମଣ ବଢ଼ିଛି । ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଓଡ଼ିଶାରେ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ଏନେଇ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଥିବା ନେଇ ସେ କହିଛନ୍ତି ।
ସେ କହିଛନ୍ତି ବର୍ତ୍ତମାନ ଦେଶରେ ୪ ରୁ ୫ ଟି ରାଜ୍ୟରେ ବଢ଼ିବାରେ ଲାଗିଛି କିନ୍ତୁ ରାଜ୍ୟ ପାଇଁ ସେଭଳି ଚିନ୍ତାଜନକ ସ୍ଥିତି ନାହିଁ । କିନ୍ତୁ ସଂକ୍ରମଣ କେବେ ବି ବଢ଼ିପାରେ ଏଥିପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଯଦି ସଂକ୍ରମଣ ବଢ଼େ ତେବେ ଜିଲ୍ଲାସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ସେ ଆହୁରି କହିଛନ୍ତି ଯେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ଲୋକଙ୍କ ସହଯୋଗ ଆବଶ୍ୟକ । ଯଦି ସଂକ୍ରମଣ ବଢ଼େ ତେବେ କଟକଣା ବଢ଼ାଇବାକୁ ଚିନ୍ତା କରାଯିବ ।