fbpx

(Video) ପୁରୀ ପୋଲିସର ମାସିକିଆ ବଟି: ଅଭିଯୋଗ ପରେ ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର । ଲାଗୁନି ଫୋନ୍, ବଢ଼ୁଛି ସନ୍ଦେହ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିବା ପରେ ୫ ଦିନିଆ ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ସେ ଏନେଇ ପୁରୀ ଏକ୍ସସାଇଜ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ପଠାଇଛନ୍ତି । ଆସନ୍ତା ୯ରୁ ୧୫ ତାରିଖ ଯାଏଁ ଛୁଟିରେ ରହିବାକୁ ସେ ଅନୁମତି ମାଗିଛନ୍ତି । ଏହା ସହ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ପୋଲିସ ବିରୋଧରେ ଅଭିଯୋଗ ପରେ ଛୁଟିକୁ ନେଇ ବଢ଼ିଛି ଚର୍ଚ୍ଚା ।

ସୂଚନା ଅନୁସାରେ, ପୁରୀ ପୋଲିସ ମାସିକିଆ ବଟି ନେଉଥିବା ନେଇ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଅଭିଯୋଗ କରିଥିଲେ । ଅବକାରୀ କମିଶନଙ୍କୁ ଚିଠି ଲେଖି ଖୁଲମଖୁଲା ଅଭିଯୋଗ କରିଥିଲେ । ଅଭିଯୋଗ ପରେ କାହିଁକି ଛୁଟିରେ ଯାଉଛନ୍ତି ବୋଲି ସନ୍ଦେହ ବଢ଼ିଛି । ଛୁଟିରେ ଯିବା ପାଇଁ ଚାପ ପଡ଼ିଛି ନା ପୋଲସର ଭୟ ରହିଛି, ସେନେଇ ଜଣାପଡିନାହିଁ । ଛୁଟି ଆବେଦନ କରିବା ପରଠାରୁ ସଞ୍ଜୟ ପଣ୍ଡାଙ୍କ ଫୋନ୍ ଲାଗୁ ନାହିଁ । କାଲି ଅଭିଯୋଗ କରିବା ପରେ ହଠାତ୍ କାହିଁକି ଛୁଟି ଆବେଦନ କଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି ।

ତେବେ କମିଶନରଙ୍କୁ ଚିଠି ଲେଖିବା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସଞ୍ଜୟ । ନିଶା ମାଫିଆଙ୍କଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ, ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି ବୋଲି ସେ କହିଥିଲେ । ଜୁନ ୪ ତାରିଖରେ ସଞ୍ଜୟ କୁମାର ପଣ୍ଡା ଏହି ଚିଠି ଲେଖିଥିଲେ ।

ସେ କହିଥିଲେ ଯେ, ‘ଆମ ଏକ୍ସସାଇଜ ଡିପାର୍ଟମେଣ୍ଟରେ ଷ୍ଟାଫ୍ ବହୁତ କମ୍ ଅଛନ୍ତି । ପୁରୀ ଜିଲ୍ଲାରେ ଅବକାରୀ ବିଭାଗର ମାତ୍ର ୨ଟି ଗାଡ଼ି, ୨୦ରୁ ୨୫ କର୍ମଚାରୀ ଅଛନ୍ତି । ପୋଲିସ ଚାହିଁଲେ ବିଭିନ୍ନ ଅଞ୍ଚଳରେ ନିଶା କାରବାର ରୋକିପାରନ୍ତା । ପୋଲିସକୁ ମଧ୍ୟ ଆମ ଭଳି ଅବକାରୀ କ୍ଷମତା ଦିଆଯାଇଛି । ପୋଲିସ କିନ୍ତୁ ସେହି କ୍ଷମତାର ଅପବ୍ୟବହାର କରୁଛି ।’

Get real time updates directly on you device, subscribe now.