ଅନ୍ତର୍ଜାତୀୟ କବାଡ଼ି ଖେଳାଳିଙ୍କୁ ଗୁଳିମାଡ଼, ମ୍ୟାଚ ମଝିରେ ହତ୍ୟା କରି ଫେରାର ହେଲେ ଦୁର୍ବୁତ୍ତ

ମ୍ୟାଚ ମଝିରେ ଖେଳାଳିଙ୍କୁ ଗୁଳିମାରି ହତ୍ୟା । ପଞ୍ଜାବ ଜଳନ୍ଧରରେ ସୋମବାର ସନ୍ଧ୍ୟାରେ ଜଣେ କବାଡ଼ି ଖେଳାଳିଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବଡ଼ କଥା ହେଉଛି କବାଡ଼ି ଟୁର୍ଣ୍ଣାମେଣ୍ଟ ଚାଲୁଥିବା ସମୟରେ ହିଁ କିଛି ଅଜଣା ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଅନ୍ତରାଷ୍ଟ୍ରୀୟ କବାଡ଼ି ଖେଳାଳି ସନ୍ଦୀପ ନଙ୍ଗଲ ଅମ୍ବିଆଙ୍କୁ ଗୁଳିମାଡ଼ ପରେ ସେଠାରେ ଗହଳି ହୋଇଥିଲା ଲୋକମାନେ ଏଣେ ତେଣେ ଧାଇଁବାକୁ ଲାଗିଥିଲେ । ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଷ୍ଟାଡିୟମରେ ଖେଳା ଯାଉଥିବା କବାଡ଼ି ଟୁର୍ଣ୍ଣାମେଣ୍ଟ ସମୟରେ ହଠାତ୍ ସନ୍ଦୀପଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଦୁର୍ବୁତ୍ତ ଆଉ ଏହା ଦେଖି ସେଠାରେ ଲୋକମାନେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଆଉ କେହି କିଛି ବୁଝିବା ଆଗରୁ ଦୁର୍ବୁତ୍ତ ସେଠାରେ ଖସି ପଳାଇଯିବାରେ ସଫଳ ହୋଇଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ସନ୍ଦୀପଙ୍କୁ କାର ଦ୍ୱାରା ହସ୍ପିଟାଲ ନେଇଯାଇଥିଲେ ମାତ୍ର ଅଧିକ ଗୁଳି ବାଜିଥିବା ଯୋଗୁଁ ବହୁତ ରକ୍ତ ବୋହିଯିବା କାରଣରୁ ତାଙ୍କର ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ଏହା ସହ ଅଞ୍ଚଳରେ ସ୍ଥିତି ନ ବିଗିଡ଼ିବା ପାଇଁ ନଜର ରଖିଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେଉଁ ପରିସ୍ଥିତିରେ ଦୁର୍ବୁତ୍ତମାନେ ତାଙ୍କୁ ଗୁଳିମାରିଲେ ସେନେଇ ତଦନ୍ତ କରୁଛି ପୋଲିସ୍ ।