ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା, ଆଜିଠୁ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣାରେ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।
ଭଦ୍ରକ: ବନ୍ଦ ହେଲା ଇଣ୍ଟରନେଟ ସେବା । ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣାରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାକୁ ଆଖି ଆଗରେ ରଖି ଭଦ୍ରକରେ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । । ଆଜି ସକାଳ 6 ଟାରୁ ଆସନ୍ତାକାଲି ସକାଳ 6 ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିବ ।
ଧାମନଗର ବ୍ଲକ, ଧାମନଗର ପୌରାଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିବ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ସମ୍ୱେଦନଶୀଳ ଅଞ୍ଚଳରେ ୨୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ମନୋଜ ରାଉତ । ଘଟଣାରେ ପୋଲିସ 12 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ।
ସୂଚନାମୁତାବକ, ଗତ ମେ 30ତାରିଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ 20ରୁ ଅଧିକ ଲୋକେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ 12ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସେପେଟ ଏହି ଘଟଣା ପରେ କଷଟି, ଦେଉଳା ଓ ଜୟପୁରଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ତୋଷଙ୍କ ସ୍ତ୍ରୀ ମିନତୀ ବେହେରା ତିହିଡ଼ି ଥାନାରେ ଦେଇଥିବା ଏତଲା ଆଧାରରେ ମୋକଦ୍ଦମା ରୁଜୁ ହୋଇଛି । ଭଦ୍ରକ ଏସପି ମନୋଜ ରାଉତ କଷଟି ଗାଁକୁ ଯାଇ ସ୍ଥିତି ଉପରେ ନଜର ରଖିଛନ୍ତି ।