fbpx

ଦୁବାଇରେ ମୁଖ୍ୟମନ୍ତ୍ରୀ: ୨୯ରେ ପୁଞ୍ଜିପତି ଓ ନିବେଶକାରୀଙ୍କ ସହ ଆଲୋଚନ କରିବେ ନବୀନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଇଟାଲୀ ଗସ୍ତ ଶେଷ କରି ରବିବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌ । ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟପ୍ରାଚ୍ୟର ପୁଞ୍ଜି ନିବେଶକାରୀଙ୍କ ସହ ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ସମୟରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପେଟ୍ରୋକେମିକାଲ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରୀ ଉପରେ ଫୋକସ୍‌ କରାଯିବାର ସ୍ଥିର କରାଯାଇଛି ।

ଦୁବାଇର ହୋଟେଲ୍‌ ଓବରାଇରେ ହେବାକୁଥିବା ପୁଞ୍ଜିତିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଯୋଗାଣ ସଚିବ, ଆବାସିକ କମିଶନର ଏବଂ ୫-ଟି ସଚିବ ଯୋଗ ଦେବେ । ରାଜ୍ୟରେ ସଫଳତାର ସହ ପୁଞ୍ଜି ନିବେଶ କରିଥିବା ଶିଳ୍ପପତିଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଏହି କନ୍‌କ୍ଲେଭ୍‌ରେ ଯୋଗ ଦେବେ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ସୁବିଧା ସୁଯୋଗ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ନେଇ ମୁଖ୍ୟମନ୍ତ୍ରୀ ଓ ଟିମ୍‌ ଓଡ଼ିଶା ମଧ୍ୟପ୍ରାଚ୍ୟର ପୁଞ୍ଜିତିଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ସ୍ଥିର ସରକାର, ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପୁଞ୍ଜିପତିମାନେ ଓଡ଼ିଶା ମୁହାଁ ହେଉଛନ୍ତି ।

ଓମାନ, ଦୋହା, ଦୁବାଇ ଭଳି ରାଷ୍ଟ୍ରର ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ବେଶ୍‌ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏଥିୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଇଟାଲି ରାଜଧାନୀ ରୋମରେ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବା ସହ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କୁ ସାକ୍ଷାତ କରିଥିଲେ । ଏଥିସହ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ । ଆସନ୍ତା ୩୦ ତାରିଖରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.