fbpx

ପ୍ୟାରିସ ଛାଡ଼ିବାକୁ ଅନ୍ତିମ ପଙ୍ଘାଲ ଓ କୋଚଙ୍କୁ ନିର୍ଦ୍ଦେଶ ଦେଲା IOA: ଅଭିଯୋଗ ଆସିବା ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏହାକୁ ନେଇ ସମଗ୍ର ଭାତୀୟ କ୍ରୀଡ଼ା ଜଗତରେ ନିରାଶା ଭରି ରହିଛି । ତେବେ ଏହା ମଧ୍ୟରେ ପୁଣି ଜଣେ କ୍ରୀଡ଼ାବିତଙ୍କୁ ଲାଗିଛି ଏକ ବଡ଼ ଝଟକା । ଭାରତୀୟ କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲର ପ୍ୟାରିସ ଅଲିମ୍ପିକ୍ସ ଗ୍ରାମର ମାନ୍ୟତା ରଦ୍ଦ କରିଦିଆଯାଇଛି । ଏଥିସହିତ ତାଙ୍କୁ ପ୍ୟାରିସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ନିଜ ଭଉଣୀଙ୍କ ତ୍ରୁଟି କାରଣରୁ ଅନ୍ତିମଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ତିମଙ୍କ ଭଉଣୀ ଭୁଲ ତରିକା ଆପଣାଇ କ୍ୟାମ୍ପସ ଭିତରେ ପ୍ରବେଶ କରିବାକୁ ପ୍ରୟାସ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ଧରା ପଡ଼ିଥିଲେ । ଏହି ଅଭିଯୋଗ ପାଇଁ ଅନ୍ତିମଙ୍କ ଭଉଣୀ ନିଶା ପଙ୍ଘାଲଙ୍କୁ ପୋଲିସ କିଛି ସମୟ ପାଇଁ ହେପାଜତକୁ ନେଇଥିଲା । ଏହାପରେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ହସ୍ତକ୍ଷେପ କରିବା ପରେ ନିଶାଙ୍କୁ ଚେତାବନୀ ଦେଇ ଛଡ଼ା ଯାଇଥିଲା । ତେବେ ଏହି ଘଟଣାରେ ଆଇଓଏ ତରଫରୁ ଅନ୍ତିମ, ତାଙ୍କର କୋଚ ଓ ଭାଇ-ଭଉଣୀଙ୍କୁ ପ୍ୟାରିସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ତିମ ଓ ତାଙ୍କର ସହଯୋଗୀ ଷ୍ଟାଫ ଶୃଙ୍ଖଳାଗତ ନିୟମ ଉଲ୍ଲଂଘନ କରିଥିବା ନେଇ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ତରଫରୁ ଅଭିଯୋଗ ଅଣାଯିବା ପରେ ଆଇଓଏ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ଅନ୍ତିମ ତାଙ୍କ ଭଉଣୀ ନିଶାଙ୍କୁ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ ନେଇ ମାନ୍ୟତା ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସ୍ପଷ୍ଟ ହେବା ପରେ ଆଇଓଏ ତରଫରୁ ଭାରତୀୟ କୁସ୍ତିଯୋଦ୍ଧା ଓ ତାଙ୍କର ସହଯୋଗୀ ଷ୍ଟାଫଙ୍କୁ ଭାରତ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଅନ୍ତିମ ନିଜର ଓପନିଂ ରାଉଣ୍ଡରେ ତୁର୍କୀର ପ୍ରତିଯୋଗୀ ଜେନ୍ୟାପ ୟେଟଗିଲଙ୍କ ଠାରୁ ୫୩ କେଜି ବର୍ଗରେ ୦-୧୦ରେ ପରାସ୍ତ ହୋଇଥିଲେ ।

Get real time updates directly on you device, subscribe now.