fbpx

ରିଅଲ ଲାଇଫ୍ ସୂର୍ଯ୍ୟବଂଶୀଙ୍କ ପ୍ରେରଣାଦାୟୀ କାହାଣୀ: ଆଇପିଏସ୍ ବିଶ୍ୱାସ ନଙ୍ଗାରେ ପାଟିଲ

Advertisement

ନୂଆଦିଲ୍ଲୀ: ନିକଟରେ ଦୀପାବଳି ଅବସରରେ ରିଲିଜ ହୋଇଥିଲା ବଲିଉଡ ଫିଲ୍ମ ସୂର୍ଯ୍ୟବଂଶୀ । ଏହି ଫିଲ୍ମଟିକୁ ଅପାର ସଫଳତା ମିଳିଥିବା ବେଳେ ଦୁଇ ବର୍ଷରେ ପ୍ରଥମ ଫିଲ୍ମ ଭାବେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହି ଫିଲ୍ମରେ ଅକ୍ଷୟଙ୍କ ଅଭିନୟକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ । ତେବେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଅକ୍ଷୟଙ୍କ ପ୍ରେରଣା ଥିଲେ ଆଇପିଏସ୍ ଅଫିସର ବିଶ୍ୱାସ ନଙ୍ଗାରେ ପାଟିଲ । ମୁମ୍ବାଇ ପୋଲିସରେ ଦୀର୍ଘ ବର୍ଷ ଧରି କାମ କରୁଥିବା ବିଶ୍ୱାସ ଏହି ଚରିତ୍ର ପାଇଁ ତାଙ୍କର ରୋଲ ମଡେଲ ଥିଲେ ବୋଲି କହିଛନ୍ତି ଅକ୍ଷୟ କୁମାର ।
୨୦୦୮ ମୁମ୍ବାଇ ଆକ୍ରମଣ ସମୟରେ ସାଉଥ୍ ମୁମ୍ବାଇର ପୋଲିସ୍ ଜୋନ-୧ର ଡେପୁଟି କମିଶନର ଥିଲେ ବିଶ୍ୱାସ । ତାଜ ହୋଟେଲ ଓ କୋଲାବାରେ ନଭେମ୍ବର ୨୬ ଅପରେଶନର ନେତୃତ୍ୱ ନେଇଥିବା ବିଶ୍ୱାସ ଜଣେ ଆତଙ୍କୀକୁ ନିଜ ଗୁଳିର ଶିକାର ବନାଇଥିଲେ । ଭାରତର ଅନ୍ୟତମ ଶ୍ରେଷ୍ଠ ଆଇପିଏସ ଅଫିସର ରହିଥିବା ବିଶ୍ୱାସ ନିଜର ଦୃଢ ଇଚ୍ଛା ଏବଂ ମଜାଳିଆ ସ୍ୱଭାବ ପାଇଁ ବେଶ ପରିଚିତ । ଛାତ୍ର ଜୀବନରୁ ମହିଳା ସଶକ୍ତୀକରଣ, ଟ୍ରାଫିକ ସଚେତନତା ଏବଂ ଗ୍ରାମୀଣ ବିକାଶ ଦିଗରେ କାମ କରି ଆସୁଛନ୍ତି ବିଶ୍ୱାସ । ସାଙ୍ଗଲି ଜିଲ୍ଲାର କୋକ୍ରୁଡ ଗ୍ରାମରୁ ଆସୁଥିବା ବିଶ୍ୱାସ କେବେବି ନିଜ ହଷ୍ଟେଲ ଜୀବନ ସମ୍ପର୍କରେ ଆଲୋଚନା କରନ୍ତି ନାହିଁ । ତେବେ ଲୋକପ୍ରିୟ ଫିଲ୍ମ ତାରକା ଆର. ମାଧବନଙ୍କ ସହିତ ଗୋଟିଏ ରୁମ୍ ଶେୟାର କରୁଥିଲେ ବିଶ୍ୱାସ । ଏପରିକି ବିଶ୍ୱାସଙ୍କ ସଫଳତାର କାହାଣୀ ନିଜେ ମାଧବନ ହିଁ ଶେୟାର କରିଛନ୍ତି ।
୨୫ ବର୍ଷ ବୟସରେ ବିଶ୍ୱାସ ୟୁପିଏସସି ପାଶ କରି ୧୯୯୭ କ୍ୟାଡରର ଆଇପିଏସ ଭାବରେ କାର୍ଯ୍ୟରେ ଯୋଗ ଦିଅନ୍ତି । ନାସିକର କମିଶନର ଏବଂ ମୁମ୍ବାଇ ସହରର ଜଏଣ୍ଟ କମିଶନର ରହିଥିବା ବିଶ୍ୱାସ ନିଜ କାମ ଜରିଆରେ ହିଁ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୦୦୮ରେ ତାଙ୍କୁ ରାଷ୍ଟ୍ରପତି ସେବା ପଦକ ମଧ୍ୟ ପ୍ରଦାନ କରାଯାଇଛି । ଜଣେ ମରାଠୀ ମିଡିୟମ ଛାତ୍ର ଭାବରେ ୟୁପିଏସସି ପାଶ କରିବା ତାଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି । ଏହା ସହିତ ତାଙ୍କର ଏପରି ସଫଳତା ତାଙ୍କୁ ୟୁଥ ଆଇକନ ଭାବରେ ମଧ୍ୟ ପ୍ରତିଷ୍ଠା ଦେଇଛି । ନିଜ ଛାତ୍ର ଜୀବନରୁ ଚାକିରି ଜୀବନ ଯାଏଁ ଯେଉଁ ସଂଘର୍ଷ ଦେଇ ଗତି କରିଥିଲେ ଏହା ଉପରେ ଏକ ପୁସ୍ତକ ମନ ମେ ହେଁ ବିଶ୍ୱାସ ମଧ୍ୟ ଲେଖିଛନ୍ତି । ସମ୍ପୂର୍ଣ୍ଣ ଭାବରେ ନିଜ ପ୍ରୟାସରେ ସୁନାମ ଅର୍ଜନ କରିଥିବା ବିଶ୍ୱାସ ଆଜିର ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Get real time updates directly on you device, subscribe now.