fbpx

ମଣିପୁରରେ ପୁଣି ଅଘଟଣ: ଯବାନଙ୍କୁ ଅପହରଣ ପରେ ହତ୍ୟା, ୧୦ ବର୍ଷର ପୁଅ ସାମ୍ନାରେ ବାପାଙ୍କୁ ଉଠାଇନେଲେ

ନୂଆଦିଲ୍ଲୀ: ମଣିପୁରରେ ପୁଣି ଦେଖିବାକୁ ମିଳିଛି ଏକ ଅଘଟଣ । କିଛି ମାସ ତଳେ ମଣିପୁର ହିଂସାକାଣ୍ଡରେ ବହୁ ଲୋକଙ୍କର ଜୀବନ ହାନୀ ହେବା ସହିତ ବହୁ ଘରଦ୍ୱାର ନଷ୍ଟ ହୋଇଥିଲା । ସେହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହା ମଧ୍ୟରେ ଜଣେ ଯବାନଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଦୁର୍ବୃତ୍ତମାନେ ଯବାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଏହି କାଣ୍ଡ ଭିଆଇଥିବା କୁହାଯାଉଛି ।

ସୂଚନା ମୁତାବକ, ମୃତ ଯବାନଙ୍କ ନାମ ହେଉଛି ସେରତୋ ଥଙ୍ଗଥାଙ୍ଗ କୋମ । କୋମ ନିକଟରେ ୪ ଦିନ ପାଇଁ ଛୁଟିରେ ଘରକୁ ଯାଇଥିଲେ । ନିଜର ୧୦ ବର୍ଷୀୟ ପୁଅକୁ ଘର ଆଗରେ ଖେଳାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଯବାନଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ । ଏହାପରେ ସେମାନେ ଯବାନଙ୍କୁ ଏକ ଧଳା ରଙ୍ଗର ଗାଡ଼ିରେ ବସାଇ ନେଇଯାଇଥିଲେ ବୋଲି ଯବାନଙ୍କ ପରିବାର ଲୋକେ କହିଛନ୍ତି ।

ଏହାପରେ ଯବାନଙ୍କ ମୁକ୍ତି ନେଇ ତାଙ୍କର ପରିବାର ପକ୍ଷରୁ ଏକ ସ୍ଥାନୀୟ ଟିଭି ଚାନେଲ ମାଧ୍ୟମରେ ଅନୁରୋଧ କରାଯାଇଥିଲା । ମାତ୍ର ପରେ ଯବାନଙ୍କର ମୃତଦେହ ଏକ ଗାଁ ନିକଟରୁ ମିଳିଥିଲା । ଜାନୁଆରୀ ୧୫ରେ କୋମ ଲେଇମାଖଙ୍ଗ ମିଲିଟାରୀ ଷ୍ଟେସନରେ ରିପୋର୍ଟ କରିବାର ଥିଲା । ମାତ୍ର ତା’ ପୂର୍ବରୁ ୧୪ ତାରିଖ ସକାଳ ୯.୩୦ରେ ତାଙ୍କର ମୃତଦେହ ମିଳିଥିଲା । ଯବାନଙ୍କୁ ହରାଇ ତାଙ୍କର ପତ୍ନୀ ଓ ପୁଅ ଏବେ ଦୁଃଖରେ ମିୟମ୍ରାଣ ହୋଇପଡ଼ିଛନ୍ତି । ଏହି ଘଟଣା ପଛର ରହସ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।

 

Get real time updates directly on you device, subscribe now.