ଧାନ ସଂଗ୍ରହରେ ଅନିୟମିତତା ଓ ଦୁର୍ନୀତି ଉପରେ ତୀକ୍ଷ୍ମ ନଜର ରଖାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଶେଷ କରି ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ଯେପରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆଯାଉଛି । ସେଥିପାଇଁ ଚାଷୀମାନଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ତେଣୁ ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ, ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେମାନେ ସରକାରଙ୍କ ପାଇଁ One-Point-Contact ଭାବେ କାର୍ଯ୍ୟ କରିବେ । ମନ୍ତ୍ରୀମାନେ ଜିଲ୍ଲା ତଥା ବିଭିନ୍ନ ମଣ୍ଡି ଗସ୍ତ କରି ଚାଷୀମାନଙ୍କ କଥା ଶୁଣି ତା’ର ପ୍ରତିକାର କଲେ, ସାଧାରଣ ଜନତା ସରକାରଙ୍କ ଆନ୍ତରିକତା ଅନୁଭବ କରିପାରିବେ ।

ପୁରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମସ୍ତ ସଂପୃକ୍ତ ବିଭାଗ ଓ ଜିଲ୍ଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଥିଲେ ଯେ ସମୁଦାୟ ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରୁ ୮୩.୧୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ । ସେମାନେ ଯେପରି ବିନା କୌଣସି ଅସୁବିଧାରେ ସେମାନଙ୍କ ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ଜିଲ୍ଲାପାଳମାନଙ୍କର । ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀମାନଙ୍କୁ ପ୍ରାଥମିକତା ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଟୋକେନ୍‌ର ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀମାନେ ବିଶେଷ ସୂଚନା ପାଇ ପାରୁନାହାନ୍ତି । ତେଣୁ ସେମାନଙ୍କୁ ସଚତେନ କରିବା ସହିତ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ସେମାନଙ୍କ ଟୋକେନ୍‌ର ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାନର କଟନୀ-ଛଟନୀ ବନ୍ଦ କରିବା ପାଇଁ ଚାଷୀମାନେ ଯେପରି କେବଳ FAQ ମାନର ଧାନ ମଣ୍ଡିକୁ ଆଣିବେ, ସେଥିପାଇଁ ବ୍ୟାପକ ସଚେତନତା ଅଭିଯାନ କରିବା ଆବଶ୍ୟକ । ବିଶେଷକରି ଚାଷୀମାନଙ୍କ ହ୍ଵାଟ୍ସଆପ ଗ୍ରୁପରେ ସେମାନଙ୍କୁ ବାରମ୍ବାର ଏ ସଂପର୍କରେ ସୂଚନା ଦେବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । FAQ ଧାନ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଧାନର ମାନ ନିର୍ଣ୍ଣୟରେ ମଣ୍ଡି ପରିଚାଳନା ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ନିଷ୍ପତ୍ତି ଅନୁଯାୟୀ ମଣ୍ଡି ପରିଚାଳନା ପାଇଁ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ମଣ୍ଡି ପରିଚାଳନା ଅଧିକାରୀ ରହିବେ ଏବଂ ପ୍ରତ୍ୟେକ ଚାରି, ପାଞ୍ଚଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ । ଏହା ସହିତ ଗୋଟିଏ କେନ୍ଦ୍ରୀୟ ଡ୍ୟାସ ବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ମନିଟରିଙ୍ଗ କରାଯିବ । ଏହା ସହିତ କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରାଯିବ । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା କି ଓଡ଼ିଶାରେ ଧାନ ମୂଲ୍ୟ ବୃଦ୍ଧି ପାଇଥିବାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ଧାନ ଆସିବାର ସମ୍ଭାବନା ବୃଦ୍ଧି ପାଇଛି । ତେଣୁ ଜିଲ୍ଲାପାଳମାନେ ସବୁ ସୀମାବର୍ତ୍ତୀ ଅଞ୍ଚଳରେ Enforcement Squad ନିୟୋଜନ ପାଇଁ ବ୍ୟବସ୍ଥା କରିଛନ୍ତି । ସିସିଟିଭି କିମ୍ବା ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡ଼ୁଥିବା ମୁଖ୍ୟରାସ୍ତା ଗୁଡ଼ିକର ୨୪ ଘଣ୍ଟିଆ ମନିଟରିଙ୍ଗ କରାଯିବ ।

ସେହିପରି ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ ଟି ବୃହତ୍ତ ମଣ୍ଡିରେ Automatic Grain Analyserର ବ୍ୟବସ୍ଥା କରାଯାଇଥିବା ବେଳେ ଛୋଟ ମଣ୍ଡିରେ Manual Grain Analyser ର ବ୍ୟବସ୍ଥା ମଧ୍ୟ କରାଯିବ। ଧାନର ପରୀକ୍ଷା ନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ Quality Analyst ଓ Quality Supervisor ନିୟୋଜିତ ହେବେ । ଏହି ଉଚ୍ଚସ୍ତରୀୟ ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଏବଂ କୃଷି, ସମବାୟ, ଖାଦ୍ୟ ଯୋଗାଣ, ପରିବହନ ଓ ଅନ୍ୟ ସଂପୃକ୍ତ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ । ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

Get real time updates directly on you device, subscribe now.