fbpx

ବାହାନା କରୁଛନ୍ତି ଶ୍ରେୟସ? ନା ମିଛ କହୁଛି BCCI: ଆୟର ସୁସ୍ଥ ଥିବା କହୁଛି NCA

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଶ୍ରେୟସ ଆୟର । ଆହତ ଜନିତ ସମସ୍ୟା ଯୋଗୁଁ ଶ୍ରେୟସ ଏହି ଦଳରୁ ବାଦ୍ ପଡ଼ିଥିବା କୁହାଯାଇଛି । କିନ୍ତୁ ବର୍ତ୍ତମାନ ବାଙ୍ଗାଲୋରର ନେସନାଲ କ୍ରିକେଟ ଏକାଡେମୀ ଶ୍ରେୟସଙ୍କୁ ନେଇ ଏକ ବଡ଼ ବୟାନ ଦେଇଛି । ଶ୍ରେୟସ ଆୟର ଏକଦମ୍ ସୁସ୍ଥ ଥିବା କହିଛି ଏନସିଏ । ଏହାପରେ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କ ଚୟନକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶ୍ରେୟସ ନିଜ ଅସୁସ୍ଥତାକୁ ନେଇ ବାହାନା କରୁଥିବା କିଛି ଲୋକ କହୁଥିବା ବେଳେ କିଛି ଲୋକ ବିସିସିଆଇକୁ ଆଙ୍ଗୁଠି ଉଠାଇଛନ୍ତି । ଏହାମଧ୍ୟରେ ଶ୍ରେୟସ ରଣଜୀ ମ୍ୟାଚ ପାଇଁ ମଧ୍ୟ ଉପଲବ୍ଧ ନଥିବା ପ୍ରକାଶ କରିଛନ୍ତି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଦଳରେ ଶ୍ରେୟସ ସ୍ଥାନ ପାଇଥିବା ବେଳେ ଶେଷ ୩ଟି ଟେଷ୍ଟ ପାଇଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଏହି ଦଳରେ ଶ୍ରେୟସଙ୍କୁ ଚୟନ କରା ନଯିବାର କାରଣ ତାଙ୍କ ଆହତ ସମସ୍ୟା ବୋଲି କହିଥିଲା ବିସିସିଆଇ । କିନ୍ତୁ ନେସନାଲ କ୍ରିକେଟ ଏକାଡେମୀ ଏବେ ବିସିସିଆଇକୁ ଇ-ମେଲ କରି ସୂଚନା ଦେଇଛି ଯେ, ଶ୍ରେୟସ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ କୌଣସି ନୂଆ ଆଘାତ ହୋଇନାହିଁ । ଏନସିଏର ହେଡ୍ ଅଫ୍ ସ୍ପୋର୍ଟସ ସାଇନ୍ସ ଆଣ୍ଡ ମେଡିକାଲ ନିତିନ ପଟେଲ ନିଜେ ଶ୍ରେୟସଙ୍କୁ ନେଇ ଏଭଳି ସୂଚନା ଦେଇଛନ୍ତି । ଶ୍ରେୟସ ଖେଳିବା ମ୍ୟାଚ ପାଇଁ ଫିଟ୍ ବୋଲି କହିଛନ୍ତି ନିତିନ । ତେବେ ଶେଷ ୩ଟି ଟେଷ୍ଟ ପାଇଁ ତାଙ୍କୁ ଦଳରେ ସାମିଲ କରା ନ ଯିବା ଘଟଣା ଏବେ ପ୍ରଶ୍ନ ଘେରରେ ରହିଛି । ଆହତ ସମସ୍ୟା ଯୋଗୁଁ ସେ ଦଳରୁ ବାଦ୍ ପଡ଼ିଛନ୍ତି ନା ଖରାପ ପ୍ରଦର୍ଶନ ଯୋଗୁଁ ବିସିସିଆଇ ତାଙ୍କୁ ଦଳରୁ ବାଦ୍ ଦେଇଛି । ଏ ନେଇ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଯାଇଛି ।

ଅନ୍ୟ ପକ୍ଷରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ତାଙ୍କୁ ଏଥିରେ ଖେଳିବା ପାଇଁ ମୁମ୍ବାଇ କ୍ରିକେଟ ସଂଘ ପ୍ରସ୍ତାବ ଦେଇଥିଲା । କିନ୍ତୁ ପିଠି ଯନ୍ତ୍ରଣା ଯୋଗୁଁ ଶ୍ରେୟସ ଏଥିପାଇଁ ଉପଲବ୍ଧ ନଥିବା ମୁମ୍ବାଇକୁ କହିଛନ୍ତି । ତେବେ ଶ୍ରେୟସ ପ୍ରକୃତରେ ଯନ୍ତ୍ରଣା ଭୋଗୁଛନ୍ତି ନା ମିଛି ବାହାନା କରି କ୍ରିକେଟର ଦୂରେଇ ରହୁଛନ୍ତି, ତାହାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଆଲୋଚକ । ସେପଟେ ଆସନ୍ତା ମାସରୁ ଅରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣିଥରେ କୋଲକାତା ନାଇଟ ରାଇଡର୍ସ ଦଳକୁ କମବ୍ୟାକ କରିବାକୁ ଚାହିଁବେ ଶ୍ରେୟସ ଆୟର ।

Get real time updates directly on you device, subscribe now.