fbpx

(Video) ଟିମ ଇଣ୍ଡିଆରେ Comeback ପାଇଁ ପ୍ରସ୍ତୁତ ଇଶାନ୍ କିଶାନ୍! ବିସ୍ଫୋରକ ଶତକ ସହ ଘରୋଇ କ୍ରିକେଟରେ ରଣହୁଙ୍କାର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ବାର୍ଷିକ ଚୁକ୍ତିରୁ ବାଦ୍ ପଡ଼ିଥିବା ଇଶାନ୍ କିଶାନ୍ ଏବେ ଘରୋଇ ଟୁର୍ଣ୍ଣାମେଣ୍ଟରେ ନିଜ ଦମ୍ ଦେଖାଇଛନ୍ତି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଇଶାନ୍ ଏକ ଦମଦାର ଶତକ ହାସଲ କରିଛନ୍ତି । ଝାଡ଼ଖଣ୍ଡର ଅଧିନାୟକ ଇଶାନ୍ କିଶାନ୍ ଏହି ମ୍ୟାଚରେ ଏକ ବିସ୍ଫୋରକ ଶତକ ସହ ଟିମ ଇଣ୍ଡିଆକୁ ଫେରିବା ପାଇଁ ରଣହୁଙ୍କାର ଦେଇଛନ୍ତି । ମଧ୍ୟପ୍ରଦେଶ ବିପକ୍ଷରେ ମାତ୍ର ୮୬ ବଲରୁ ଏହି ଶତକ ହାସଲ କରିଛନ୍ତି ଇଶାନ୍ କିଶାନ୍ । ଦଳ ସଂଘର୍ଷ କରୁଥିବା ବେଳେ ମଇଦାନକୁ ଆସି ଏହି ଶତକ ହାସଲ କରିଛନ୍ତି ଅଧିନାୟକ ଇଶାନ୍ ।

ମ୍ୟାଚର ଦ୍ୱିତୀୟ ଦିନରେ ମଧ୍ୟପ୍ରଦେଶ ୨୨୫ ରନ୍ କରି ଅଲ ଆଉଟ ହୋଇଥିଲା । ତେବେ ୫ଟି ୱିକେଟ ହରାଇବା ପରେ ଝାଡ଼ଖଣ୍ଡ ସଂଘର୍ଷ କରୁଥିବା ବେଳେ ଅଧିନାୟକ ଇଶାନ୍ କିଶାନ୍ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ତେବେ ଏହି ସମୟରେ ୬୧ ବଲରୁ ଅର୍ଦ୍ଧଶତକ ହାସଲ କରି ଦଳକୁ ସମ୍ଭାଳିବା ସହ ପରେ ଏହାକୁ ବିସ୍ଫୋରକ ଶତକରେ ପରିଣତ କରିଛନ୍ତି । ଦମଦାର ଛକା ସହିତ ମାତ୍ର ୮୬ ବଲରୁ ଏହି ଶତକ ହାସଲ କରିଛନ୍ତି ଇଶାନ୍ କିଶାନ୍ । ବ୍ୟକ୍ତିଗତ ୯୨ ରନ୍ କରିଥିବା ବେଳେ ଲଗାତାର ୨ଟି ବଲରେ ସେ ୨ଟି ଛକା ମାରି ଶତକ ପୂରଣ କରିଛନ୍ତି । ଅଧିନାୟକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମଧ୍ୟପ୍ରଦେଶ ବିପକ୍ଷରେ ମଜବୁତ ସ୍ଥିତିରେ ପହଞ୍ଚିଛି ଝାଡ଼ଖଣ୍ଡ ।

ଦଳ ଅପେକ୍ଷା ଇଶାନ୍ କିଶାନଙ୍କ ପାଇଁ ଏହି ଶତକ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କାରଣ ଟିମ ଇଣ୍ଡିଆରୁ ୨୦୨୩(ଶେଷ ଆଡ଼କୁ) ବ୍ରେକ ନେବା ପରଠାରୁ ତାଙ୍କୁ ଦଳରେ ସୁଯୋଗ ମିଳିନାହିଁ । ଏହାସହିତ ବିସିସିଆଇର ବାର୍ଷିକ ଚୁକ୍ତିରୁ ମଧ୍ୟ ତାଙ୍କୁ ବାଦ୍ ଦିଆଯାଇଛି । ତେବେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ ତାଙ୍କୁ ପୁଣିଥରେ ଟିମ ଇଣ୍ଡିଆରେ କମବ୍ୟାକ କରିବାର ବଡ଼ ସୁଯୋଗ ଦେଇପାରେ । ଇଶାନ୍ କିଶାନଙ୍କ ବ୍ୟତୀତ ଶ୍ରେୟସ ଆୟର ମଧ୍ୟ ବିସିସିଆଇ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଛନ୍ତି । ତେବେ ଶ୍ରେୟସ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆକୁ ଫେରି ସାରିଥିବା ବେଳେ ବର୍ତ୍ତମାନ ଇଶାନଙ୍କ କମବ୍ୟାକକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ ।

Get real time updates directly on you device, subscribe now.