fbpx

୧୧ ଲକ୍ଷ ପାଲେଷ୍ଟାନୀୟଙ୍କୁ ୨୪ ଘଣ୍ଟାରେ ଗାଜା ଖାଲି କରିବାକୁ ନିର୍ଦ୍ଦେଶ, ଉଦ୍‌ବେଗ ପ୍ରକାଶ କଲା ଜାତିସଂଘ

ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୧୧ ଲକ୍ଷ ପାଲେଷ୍ଟାନୀୟଙ୍କ ସାମ୍ନାରେ ଏକ ବଡ ସଙ୍କଟ ସୃଷ୍ଟି କରିଛି । ଇସ୍ରାଏଲ୍ ଗାଜାପଟ୍ଟୀରେ ଏବେ ସ୍ଥଳ ଭାଗରେ ଯୁଦ୍ଧ ଲଢିବାକୁ ସଂକେତ ଦେଇ ସାରିଛି ଓ ସୀମାରେ ୩ ଲକ୍ଷ ୩୬ ହଜାର ସୈନିକ ମୁତୟନ କରିସାରିଛି । ଏହାସହିତ ଇସ୍ରାଏଲ ପକ୍ଷରୁ ଉତ୍ତର ଗାଜା କ୍ଷେତ୍ରରେ ବସବାସ କରୁଥିବା ୧୧ ଲକ୍ଷ ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ଥାନ ଖାଲି କରିବାକୁ କୁହାଯାଇଛି । ଏହାକୁ ନେଇ ଜାତିସଂଘ ବି ଆପତ୍ତି ଉଠାଇଛି । କିନ୍ତୁ ଇସ୍ରାଏଲ ଏବେ ପଛକୁ ହଟିବାର ମୁଡ୍‌ରେ ହିଁ ନାହିଁ । ଜାତିସଂଘ କହିଛି ଏହା ଅସମ୍ଭବ ଯେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ଲୋକ ସ୍ଥାନ ଖାଲି କରିଦେବେ ଯାହା ଗାଜାର ପୁରା ଅଧା ଭାଗ କଭର କରି ରହୁଛନ୍ତି ।

ଗାଜା ଉପରେ ଇସ୍ରାଏଲର ଆକାଶ ମାର୍ଗରୁ ଆକ୍ରମଣ ଜାରି ରହିଛି । ଯୁଦ୍ଧର ଆଜି ୭ ଦିନ ଓ ଏବେ ଇସ୍ରାଏଲ ଆକାଶ ମାର୍ଗ ସହିତ ସ୍ଥଳଭାଗରୁ ବି ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଇସ୍ରାଏଲର ଯୁକ୍ତି ହମାସର ଆତଙ୍କବାଦୀ ଗାଜାରେ ତିଆରି ହୋଇଥିବା ସୁଡଙ୍ଗରେ ଲୁଚି ରହିଛନ୍ତି ଓ ସେମାନଙ୍କୁ ନିପାତ କରିବାକୁ ସ୍ଥଳଭାଗରୁ ଯୁଦ୍ଧ ଜରୁରୀ । ଇସ୍ରାଏଲର ୧୩୦୦ରୁ ଅଧିକ ଲୋକଙ୍କୁ ହମାସ ଏ ପର୍ଯ୍ୟନ୍ତ ହତ୍ୟା କରି ସାରିଲାଣି । ଏବେ ଇସ୍ରାଏଲ ଶନିବାର ପର୍ଯ୍ୟନ୍ତ ବଡ ଧରଣର ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ କରିସାରିଛି । ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଇସ୍ରାଏଲର ୨୪୭ରୁ ଅଧିକ ସୈନିକ ପ୍ରାଣ ହରାଇ ସାରିଲେଣି । ଗତ କେଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ଇସ୍ରାଏଲକୁ ଏତେ ବଡ କ୍ଷତି ସହିବାକୁ ପଡିଛି ।

ଅନ୍ୟପକ୍ଷରେ ଇସ୍ରାଏଲର ବମ୍ ମାଡ ଦ୍ୱାରା ଗାଜାରେ ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଏଠାରେ ଇସ୍ରାଏଲ ପକ୍ଷରୁ ପାଣି ଓ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଛି । ଇସ୍ରାଏଲର ପ୍ରତିରକ୍ଷା ବିଭାଗ ପ୍ରବକ୍ତା କହିଛନ୍ତି ଗାଜାରୁ ଲୋକମାନଙ୍କୁ ବାହାରକୁ ବାହାର କରିବା ଏକ ମାନବୀୟ ପଦକ୍ଷେପ ଅଟେ । ଆମେ ଚାହୁଁନାହୁଁ ହମାସର ଦଣ୍ଡ କୌଣସି ନୀରିହ ଲୋକଙ୍କୁ ମିଳୁ ବୋଲି ।

Get real time updates directly on you device, subscribe now.