fbpx

ISROର ଶକ୍ତି ଦେଖିଲା ବିଶ୍ୱ: ଚନ୍ଦ୍ରଯାନ-୩ର ସହଯୋଗରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ ଜାପାନ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଭାରତ ଇତିହାସ ରଚିଥିଲା । ତେବେ ଭାରତ ପରବର୍ତ୍ତୀ ମୁନ ମିଶନ ପାଇଁ ଜାପାନକୁ ମଧ୍ୟ ସାଉଥ ପୋଲକୁ ନେଇକରି ଯିବ । ଏନେଇ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇଛି । ଏହି ମିଳିତ ମିଶନ ପାଇଁ ଦୁଇ ଦେଶର ବୈଜ୍ଞାନିକମାନେ କାମ କରୁଛନ୍ତି । ଏଥିସହିତ ନାସା ଓ ୟୁରୋପୀୟ ମହାକାଶ ସଂସ୍ଥା ମଧ୍ୟ ଏହି ମିଶନ ପାଇଁ କ୍ରମାଗତ ଭାବେ ସହଯୋଗ କରୁଛନ୍ତି ।

ଚନ୍ଦ୍ରଯାନ-୩ ଚନ୍ଦ୍ରରେ ସଫଳ ଭାବେ ଅବତରଣ କରିବା ପରେ ଏବେ ଭାରତ ଜାପାନକୁ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିବ । ଜାପାନର ସ୍ପେସ ରିସର୍ଚ୍ଚ ଏଜେନ୍ସି ଜାକ୍ସା ଏଥିପାଇଁ ଇସ୍ରୋ ସହ ଆଲୋଚନା କରିଛି । ଦୁଇ ଦେଶର ମହାକାଶ ସଂସ୍ଥା ମିଶି ନୂଆ ମୁନ ମିଶନ ଉପରେ କାମ କରୁଛନ୍ତି । ଏହାକୁ ‘ଲୁପେକ୍ସ’ ନାମ ଦିଆଯାଇଛି । ଭାରତରେ ଏହାକୁ ‘ଚନ୍ଦ୍ରଯାନ-୪’ କୁହାଯାଉଛି । ନିକଟରେ ଚନ୍ଦ୍ରଯାନ-୩ରେ ସଫଳତା ହାସଲ କରି ସାରା ବିଶ୍ୱରେ ଭାରତର ଦବଦବା ଜାହିର କରିଥିଲା ।

ବିଶ୍ୱର ଚତୁର୍ଥ ଦେଶ ଭାବେ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ସକ୍ଷମ ହୋଇଛି । ଭାରତ ପରେ ଏବେ ଜାପାନ ନିଜର ସ୍ମାର୍ଟ ଲ୍ୟାଣ୍ଡର ସ୍ଲିମକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବାକୁ ଚାହୁଁଛି । ପରବର୍ତ୍ତୀ ମୁନ ମିଶନ ପାଇଁ ଜାପାନର ଜାକ୍ସା ପୂର୍ବରୁ ଇସ୍ରୋ ସହ ହାତ ମିଳାଇଥିଲା । ଚନ୍ଦ୍ରର ଦକ୍ଷିଣ ଧ୍ରୁବକୁ ସମ୍ପୂର୍ଣ୍ଣ ଭାବେ ଅଧ୍ୟୟନ କରିବା ଓ ଜଳର ସମ୍ଭାବନା ବିଷୟରେ ଜାଣିବା ଏହି ମାନବ ରହିତ ମିଶନର ମୁଖ୍ୟ ଉଦ୍ଦେଶ୍ୟ । ଏହି ମିଶନ ୨୦୨୫ରେ ଲଞ୍ଚ ହେବ ଓ ତାହା ୩-୬ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜାକ୍ସା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.