କମିଲା କାଳବୈଶାଖୀ ପ୍ରଭାବ, ଆଜିଠୁ ପୁଣି କନ୍ଦାଇବ ମୁଣ୍ଡଫଟା ଖରା !
ଦୁଇ ଚାରି ଦିନର ଆଶ୍ୱସ୍ତି ପରେ ଏବେ ପୁଣି କଲବଲ କରିବ ତାତି। କାଳବୈଶାଖୀ ବର୍ଷା ଖରାରୁ ଟିକେ ମୁକ୍ତି ଦେଇଥିଲା। ହେଲେ ଆଜିଠାରୁ ପୁଣି ପାଗରେ ପରିବର୍ତ୍ତନ ହେବ। ତତଲା କଢ଼େଇରେ ସିଝିବ ଓଡ଼ିଶା!
ଭୁବନେଶ୍ୱର: ଆଜିଠାରୁ ପୁଣି ବଢ଼ିବ ତାତି। ପାଖାପାଖି ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ମାର୍ଚ୍ଚ ଅଧାରୁ ଜଳୁଥିଲା ଅଧାରୁ ଅଧିକ ଓଡ଼ିଶା କାଳବୈଶାଖୀ ବର୍ଷା ଫଳରେ ତାତିରୁ ସାମାନ୍ୟ ରିହାତି ପାଇଥିଲେ।
ହେଲେ ଏବେ ପୁଣି ସେହି ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ। କାରଣ ଆଜିଠୁ କମିବ ବର୍ଷାର ପ୍ରଭାବ। ଆଉ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ବର୍ଷା ସମ୍ଭାବନା ରହିଛି। ହେଲେ ସବୁ ଜିଲ୍ଲା ପାଇଁ ନୁହେଁ। ବିଶେଷ କରି ଉପୂକଳ ଓଡ଼ିଶାରେ ଏହାର ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି।
ହେଲେ ଆସନ୍ତାକାଲି ଠାରୁ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିବ।
ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ। ସେହିଭଳି ରାତି ତାପମାତ୍ରାର ମଧ୍ୟ ବୃଦ୍ଧି ଘଟିବ। କିଛି ଦିନର ଆଶ୍ୱସ୍ତି ପରେ ପୁଣି କଲବଲ କରିବ ଗ୍ରୀଷ୍ମର କୋପ।
ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରୁଥିଲା ପାରଦ। ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଥିଲା ଗ୍ରୀଷ୍ମ ପ୍ରବାହ। କିଛିଦିନ ତଳେ ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଥିଲା।
କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହିଥିଲା। ମାର୍ଚ୍ଚ ୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା।
ହେଲେ କାଳବୈଶାଖୀ ବର୍ଷା ଟିକେ ଆସ୍ୱସ୍ତି ଦେଇଥିଲା। ଲୋକେ ଟାଣ ଖରାରୁ ଟିକେ ମୁକ୍ତି ପାଇଥିଲେ। ହେଲେ ଏବେ ପୁଣି ପ୍ରଚଣ୍ଡ ରୌଦ୍ରତାପ କଲବଲ କରିବ। ପୂର୍ବ ଅପେକ୍ଷା ପାରଦ ଆହୁରି ଅଧିକ ବଢ଼ିବ ବୋଲି ଆଶଙ୍କା କରାଯାଉଛି।