BMC ଅଫିସରେ ମାଡ଼ ଘଟଣା, ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ, OAS ସଂଘର ଦାବି ମାନିନେଲେ ସରକାର
ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କଲା ପୋଲିସ।
ଭୁବନେଶ୍ୱର: ଗିରଫ ହେଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ ପରେ ବିଜେପି ନେତା ଜଗନ୍ନାଥଙ୍କୁ ଗିରଫ କଲା ପୋଲିସ। ଶେଷରେ OAS ସଂଘର ଦାବିକୁ ମାନିନେଲେ ସରକାର।
ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ଶେଷରେ ପୋଲିସ ହାତରେ ଟେକିଦେଲେ। ଏକଥା କହିବାର ଅର୍ଥ, BMC ଅଫିସରେ ପଶି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣା ପୁରା ରାଜ୍ୟକୁ ଦୋହଲାଇ ଦେଇଥିଲା।
ଯାହାକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିଲେ OAS ସଂଘ। କେବଳ ସେତିକି ନୁହେଁ ଏହି ମାଡ଼ ମରା ଘଟଣାରେ ୫ ଜଣ ଗିରଫ ହେବା ସହ ବିଜେପିରୁ ବହିଷ୍କୃତ ମଧ୍ୟ ହୋଇଥିଲେ।
ଏହାପରେ କିନ୍ତୁ OAS ସଂଘର ଗୋଟିଏ ଜିଦ୍ ଥିଲା ବିଜେପି ନେତା ଜଗନ୍ନାଥ ପ୍ରଧାନ ଏହି ଘଟଣାର ମୁଖ୍ୟ ଦୋଷି। ତେଣୁ ତାଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ଏହାପରେ ଗତକାଲି ବିଜେପି ପାର୍ଟି ଅଫିସର ରାଜ୍ୟ ସଭାପତି ମନମୋହନ ସାମଲ ଜଗନ୍ନାଥଙ୍କ ସହ ଆଲିଚନା କରିଥିଲେ। ଆଉ ଆଜି ଡିସିପି ଅଫିସରେ ସନ୍ଧ୍ୟାରେ ଆତ୍ମସମର୍ପଣ କରିଥିଲେ ଜଗନ୍ନାଥ ପ୍ରଧାନ।
ଏହାପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଶେଷରେ ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଏହାକୁ ଲଗାଇ ଘଟଣାରେ ୬ ଜଣ ଗିରଫ ହେଲେ ଏବଂ ଜଗନ୍ନାଥଙ୍କ ଗିରଫ ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା OAS ସଂଘ।