ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ‘ଜନ ଆରୋଗ୍ୟ ମନ୍ଦିର’, ନିଯୁକ୍ତି ପାଇବେ ଯୋଗ ଶିକ୍ଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ବେଳେ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିବା ବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ପ୍ରତି ପଞ୍ଚାୟତରେ ‘ଜନ ଆରୋଗ୍ୟ କେନ୍ଦ୍ର’ ଖୋଲିବ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ବାବଦରେ ସୂଚନା ଦେଇଛନ୍ତି ।
ପ୍ରତି ଜନ ଆରୋଗ୍ୟ କେନ୍ଦ୍ରରେ ଜଣେ ଯୋଗ ଶିକ୍ଷକ, ଅନ୍ୟ ଜଣେ ସହକାରୀ ଯୋଗ ଶିକ୍ଷକ ରହିବେ । ଉକ୍ତ କେନ୍ଦ୍ରରେ ସମସ୍ତ ପ୍ରକାରର ଔଷଧ ମହଜୁଦ୍ ରହିବ । ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଏହା ଲୋକଙ୍କୁ ବିଶେଷ ଭାବେ ସହଯୋଗ କରିବାରେ ସହାୟକ ହେବ । ଏହାଫଳରେ ଲୋକମାନେ ଆଉ ନିଜ ପଞ୍ଚାୟତ ଛାଡ଼ି ଅନ୍ୟ ପଞ୍ଚାୟତକୁ ଯିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ଏ ବାବଦରେ ନିଜର ଅଭିଭାଷଣରେ କହିଥିଲେ ।
ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି କ୍ରମେ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ଲାଗୁ କରାଯିବ ଓ ଏହା ରାଜ୍ୟବାସୀଙ୍କୁ ସାର୍ବଜନିନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବ । ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରର ନାମ ପରିବର୍ତ୍ତନ କରାଯିବ । ଏହାର ନୂଆ ନାମ ‘ଆରୋଗ୍ୟ ମନ୍ଦିର’ ରଖାଯିବ ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆମୁକ୍ତ କରାଯିବ ଓ ଗର୍ଭବତୀଙ୍କ ପୁଷ୍ଟିକର ଖାଦ୍ୟ ଆବଶ୍ୟକତାକୁ ପୂରଣ ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ । ରାଜ୍ୟର ଅନେକ ଯୁବବର୍ଗଙ୍କ ପ୍ରତି ଧ୍ୟାନ ଦିଆଯିବ ସହ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଆଦି କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟପାଳ ଅଭିଭାଷଣରେ ଘୋଷଣା କରିଥିଲେ ।