fbpx

ବିବାହକୁ ନେଇ ଅସୁଖୀ ଥିଲେ ଯାଆନ୍ତୁ ଏହି ମନ୍ଦିର, ଜାଣନ୍ତୁ କ’ଣ ରହିଛି ସୁବିଧା

Advertisement

ନୂଆଦିଲ୍ଲୀ: ନିଜ ମନୋକାମନା ପୂର୍ତ୍ତି ଲାଗି ଲୋକମାନେ ବିଭିନ୍ନ ମନ୍ଦିର ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ବହୁ ପ୍ରେମୀ ଯୁଗଳ ସାତ ଜନ୍ମକୁ ସାଥି ହୋଇ ରହିବାକୁ ମନ୍ଦିର ଯାଇ ପ୍ରାର୍ଥନା କରୁଥିବା କଥା ଆପଣ ଜାଣିଥିବେ । କିନ୍ତୁ ଆପଣ କେବେ ଡିଭୋର୍ସ ମନ୍ଦିର ବା ତଲାକ ମନ୍ଦିର ବିଷୟରେ ଶୁଣିଛନ୍ତି କି?

ଜାପାନରେ ରହିଛି ୬୦୦ ବର୍ଷ ପୁରୁଣା ଏହି ତଲାକ ମନ୍ଦିର । ଏହି ମନ୍ଦିରର ନାମ ମାତ୍ସୁଗାଓକା ଟୋକିଜୀ ମନ୍ଦିର । ଜାପାନର ଐତିିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ଏହି ମନ୍ଦିର ବିଶେଷ ମାନ୍ୟତା ରଖିଥାଏ । ଏହା ସଶକ୍ତିକରଣ ଓ ନବୀନିକରଣର ବାର୍ତ୍ତା ପ୍ରଦାନ କରିଥାଏ । କିନ୍ତୁ ଏହା ଡିଭୋର୍ସ ବା ତଲାକ ମନ୍ଦିର ଭାବରେ କାହିଁକି ଜଣାଶୁଣା ଆସନ୍ତୁ ସେ ବିଷୟରେ ଜାଣିନେବା ।

୧୨୮୫ରେ ଜଣେ ବୌଦ୍ଧ ସନ୍ୟାସୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏହି ମନ୍ଦିର । ପ୍ରାରମ୍ଭରେ ଏହା ଅସହାୟ ମହିଳାଙ୍କ ସହାୟତା ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦିଗରେ କାର୍ଯ୍ୟ କରୁଥିଲା । ସେ ସମୟରେ ମହିଳାଙ୍କ ସ୍ଥିତି ବହୁତ ଖରାପ ଥିଲା ଓ ସେମାନଙ୍କ ପାଖରେ ମୌଳିକ ଅଧିକାର ବି ନ ଥିଲା । ଏହା ବ୍ୟତିତ ସେମାନଙ୍କ ଉପରେ ବହୁ ସାମାଜିକ ପ୍ରତିବନ୍ଧ ବି ଲଗାଯାଉଥିଲା । ଏପରି ସ୍ଥିତିରେ ଯେଉଁ ମହିଳାମାନେ ନିଜ ବିବାହକୁ ନେଇ ଖୁସି ନ ଥିଲେ ଓ ପାରିବାରିକ ହିଂସାର ଶିକାର ହେଉଥିଲେ ସେମାନେ ଏହି ମନ୍ଦିରରେ ଆସି ରହୁଥିଲେ । ପରବର୍ତ୍ତୀ ସମୟରେ ଯେଉଁ ମହିଳାମାନେ ବିବାହ ପରେ ପରିବାରରେ ନିର୍ଯ୍ୟାତିତ ଓ ପ୍ରତାରିତ ହେଉଥିଲେ ଓ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ସ୍ଥାୟୀ ଭାବରେ ଏଠାରେ ରହୁଥିଲେ ଏପରି ମହିଳାଙ୍କୁ ଏହି ମନ୍ଦିର ଅଧିକାରୀକ ତଲାକ ପ୍ରମାଣପତ୍ର ପ୍ରଦାନ କରିବା ଆରମ୍ଭ କରିଥିଲା । ଏହି ପ୍ରମାଣପତ୍ର ବଳରେ ସଂପୃକ୍ତ ମହିଳା ନିଜ ବୈବାହିକ ସମ୍ବନ୍ଧରୁ ଆଇନଗତ ସ୍ୱାଧୀନତା ପାଉଥିଲା ।

ମନ୍ଦିରରେ ଏକ ସଂଗ୍ରହାଳୟ ବି ରହିଛି ଯାହା ମନ୍ଦିର ଇତିହାସ ସହ ଜଡିତ ବିଭିନ୍ନ କଳାକୃତି, ଏତିହାସିକ ତଥ୍ୟ ପ୍ରଦର୍ଶନ କରିଥାଏ । ଏହାଦ୍ୱାରା ଲୋକମାନେ ମନ୍ଦିରର ମହତ୍ତ୍ୱ ଓ ପୂର୍ବ କାଳରେ ମହିଳାଙ୍କୁ ସଶକ୍ତ କରିବା ଦିଗରେ ମନ୍ଦିରର କଣ ଭୂମିକା ରହିଥିଲା ସେ ବିଷୟରେ ଜାଣି ପାରୁଥିଲେ । ଏହି ମନ୍ଦିରରେ ଧାର୍ମିକ ସମାରୋହ, ମେଡିଟେସନ ଆଦି ଆୟୋଜିତ ହୋଇଥାଏ । ମନ୍ଦିରରେ ରହୁଥିବା ବୌଦ୍ଧ ଭିକ୍ଷୁ ଓ ସନ୍ନ୍ୟାସୀ ଲୋକମାନଙ୍କୁ ଆଧ୍ୟତ୍ମିକ ମାର୍ଗ ଦର୍ଶନ କରାଇଥାନ୍ତି ।
ମନ୍ଦିରକୁ ଚାରିପଟୁ ଘେରି ରହିଛି ସୁନ୍ଦର ସବୁଜ ଘନ ବନାନୀ । ମନ୍ଦିରର ଶାନ୍ତ ପରିବେଶ ସମସ୍ତଙ୍କୁ ଏଠାକୁ ଆକର୍ଷଣ କରି ଆଣିଥାଏ ।

 

Get real time updates directly on you device, subscribe now.