ପୁଣି ବଦଳିବେ ଆଉ ଜଣେ କୋଚ! ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ କୋଚ୍ ପଦ ଛାଡ଼ିବେ ଜେସନ ଗିଲେସ୍ପି: ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟରେ ପୁଣି ଦେଖିବାକୁ ମିଳିଛି ହାଇ ଡ୍ରାମା । ଗତ ମାସରେ ଦିନିକିଆ ଓ ଟି-୨୦ ଟିମର କୋଚ ପଦରୁ ଗ୍ୟାରୀ କର୍ଷ୍ଟନ ଇସ୍ତଫା ଦେଇଥିଲେ । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମନମାନୀ କାରଣରୁ କର୍ଷ୍ଟନ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ଏହା ମଧ୍ୟରେ ପୁଣି ଜଣେ କୋଚ ପଦ ଛାଡ଼ିବାକୁ ଯାଉଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଜେସନ ଗିଲେସ୍ପି ପାକିସ୍ତାନ କ୍ରିକେଟରୁ ଅଲଗା ହେବାକୁ ଯାଉଛନ୍ତି । ସବୁଠାର ବଡ଼ କଥା ହେଉଛି, ଉଭୟ କର୍ଷ୍ଟନ ଓ ଗିଲେସ୍ପିଙ୍କୁ ଚଳିତ ବର୍ଷ ମେ ମାସରେ ପାକିସ୍ତାନ କ୍ରିକେଟ ଟିମର କୋଚ ଦାୟିତ୍ୱ ଦିଆଯାଇଥିଲା ।

ରିପୋର୍ଟ ମୁତାବକ, ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନକୁ ଯିବାକୁ ମନା କରିବା ପରେ ଏନେଇ ପିସିବିର କ୍ରୋଧ ଚରମସୀମା ରେରହିଛି । ଏହା ମଧ୍ୟରେ ପାକିସ୍ତାନ କ୍ରିକେଟ ଟିମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଗତ କିଛି ମାସ ଧରି ଟିମରେ କୋଚ ଓ ଅଧିନାୟକ ବଦଳିବାରେ ଲାଗିଛନ୍ତି । ମାତ୍ର ୬ ମାସ ମଧ୍ୟରେ ବୋର୍ଡ ଗିଲେସ୍ପିଙ୍କୁ ହେଡ୍ କୋଚ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିବାକୁହାଯାଉଛି । ପାକିସ୍ତାନ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ଆସନ୍ତା ୧୮ରେ ଦୁଇ ଟିମ୍ ଭିତରେ ତୃତୀୟ ଟି-୨୦ ଖେଳାଯିବ । ଉକ୍ତ ମ୍ୟାଚ କୋଚ ଗିଲେସ୍ପିଙ୍କ ପାଇଁ ଅନ୍ତିମ ମ୍ୟାଚ ହେବ ।

ସୂଚନାଯୋଗ୍ୟ ଯେ, ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଗୁଜରାଟ ଟାଇଟନ୍ସର ମେଣ୍ଟର ଭୂମିକା ତୁଲାଇବା ପରେ ଚଳିତ ବର୍ଷ ମେ ମାସରେ ପାକିସ୍ତାନ କ୍ରିକେଟ ଟିମର ହେଡ୍ କୋଚ ଭାବେ ଗ୍ୟାରୀ କର୍ଷ୍ଟନଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । ତେବେ ୨ ବର୍ଷିଆ ଚୁକ୍ତି ସମାପ୍ତ ପୂର୍ବରୁ ମାତ୍ର ୬ ମାସ ଦାୟିତ୍ୱ ତୁଲାଇବା ପରେ ମୁଖ୍ୟ କୋଚ ପଦରୁ କର୍ଷ୍ଟନ ଇସ୍ତଫା ଦେଇଥିଲେ । ତେବେ କର୍ଷ୍ଟନଙ୍କ ବଦଳରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଜଣେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଗିଲେସ୍ପିଙ୍କୁ ଦାୟିତ୍ୱ ଦେଇଥିଲେ । ମାତ୍ର ଏବେ ଗିଲେସ୍ପି ପଦ ଛାଡ଼ିବାକୁ ଯାଉଛନ୍ତି ।