fbpx

ବୋଲିଂ ଦୁନିଆର ବାଦଶାହ ଜଶପ୍ରୀତ ବୁମରାହ, ଫେରି ପାଇଲେ No.1: ଟପ୍-୧୦ରେ ବିରାଟଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବାଜବଲ କ୍ରିକେଟ ଖେଳି ଅସମ୍ଭବ ଉପାୟରେ ବାଂଲାଦେଶକୁ ଚକମା ଦେଇଛି ରୋହିତ ସେନା । ଏହି ବିଜୟ ପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ପକ୍ଷରୁ ତାଜା ରାଙ୍କିଙ୍ଗ ଜାରି କରାଯାଇଛି । ଟିମ ଇଣ୍ଡିଆ ସହ ଦଳର ଅନେକ ଖେଳାଳିଙ୍କୁ ଏଥିରେ ଫାଇଦା ମିଳିଛି । ତେବେ ବିଶେଷ କରି ଭାରତର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଦୀର୍ଘ ଦିନ ପରେ ନିଜର ସ୍ଥାନ ଫେରି ପାଇଛନ୍ତି । ଆଇସିସି ରାଙ୍କିଙ୍ଗରେ ଟେଷ୍ଟ ବୋଲର ଭାବେ ସେ ପୁଣିଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପଛରେ ପକାଇ ସର୍ବଶ୍ରେଷ୍ଠ ବୋଲର ପାଲଟିଛନ୍ତି ଜଶପ୍ରୀତ ବୁମରାହ ।

ବାଂଲାଦେଶ ବିପକ୍ଷ ସିରିଜ ଶେଷରେ ଭାରତର ଷ୍ଟାର ପେସର ଜଶପ୍ରୀତ ବୁମରାହ ୮୭୦ ପଏଣ୍ଟ ସହ ସର୍ବଶ୍ରେଷ୍ଠ ବୋଲରର ମାନ୍ୟତା ହାସଲ କରିଛନ୍ତି । ଏହାସହିତ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହି ସିରିଜ ପରେ ୮୬୯ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଶ୍ୱୀନ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଉଭୟ ଖେଳାଳି ଦମଦାର ପ୍ରଦର୍ଶନ କରି ୧୧ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । କାନପୁର ଐତିହାସିକ ମ୍ୟାଚରେ ବୁମରାହ ୬ଟି ୱିକେଟ ନେଇଥିବା ବେଳେ ଅଶ୍ୱୀନ ୫ଟି ସଫଳତା ପାଇଛନ୍ତି । ତେବେ ପ୍ରଥମ ଟେଷ୍ଟରେ ବିସ୍ଫୋରକ ଶତକ ପାଇଁ ଅଶ୍ୱୀନ ଏହି ସିରିଜରେ ପ୍ଲେୟର ଅଫ ଦ ସିରିଜ ଭାବରେ ମଧ୍ୟ ବିବେଚିତ ହୋଇଛନ୍ତି ।

ତେବେ ବାଂଲାଦେଶର ମେହଦୀ ହସନ ମଧ୍ୟ ଏହି ସିରିଜ ପରେ ୪ଟି ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ ପହଞ୍ଚିଛନ୍ତି । ଏହାବ୍ୟତୀତ ଭେଟେରାନ୍ ସ୍ପିନର ତାଲିକାର ୫ଟି ସ୍ଥାନ ଉପରକୁ ଉଠି ୨୮ତମ ସ୍ଥାନରେ ପହଞ୍ଚିଥିବା ବେଳେ ଶ୍ରୀଲଙ୍କା ସ୍ପିନର ପ୍ରଭାତ ଜୟସୁରିୟା ୮୦୧ ପଏଣ୍ଟ ସହ ନିଜ କ୍ୟାରିୟରର ସର୍ବୋଚ୍ଚ ରେଟିଙ୍ଗ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ ବଳରେ ୧୮ ୱିକେଟ ହାସଲ କରି ନବମ ସ୍ଥାନରେ ରହିଛନ୍ତି ପ୍ରଭାତ ।

ଅନ୍ୟ ପକ୍ଷରେ ବ୍ୟାଟିଂ ତାଲିକାରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଟପ୍-୧୦ରେ କମବ୍ୟାକ କରିଛନ୍ତି । ୭୨୪ ପଏଣ୍ଟ ସହ ୬ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନ ହାସଲ କରିଛନ୍ତି ବିରାଟ । କାନପୁର ଟେଷ୍ଟରେ କୋହଲି ପ୍ରଥମ ଇନିଂସରେ ୪୭ ଏବଂ ଦ୍ୱିତୀୟ ଇନିଂସରେ ୨୭ ରନ୍ କରିଛନ୍ତି । ସେହିପରି ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ ମଧ୍ୟ ତାଲିକାରେ ବଡ଼ ସଫଳତା ହାସଲ କରିଛନ୍ତି । ଏହି ସିରିଜ ପରେ ୨ଟି ସ୍ଥାନ ଉପରକୁ ଉଠି ୭୯୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.