fbpx
BSKY
BJD MC SKY
BJD MS SKY

(Video) ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରୁ ଉଡି ଆସିଲେ ଜଟାୟୁ! ଓଡ଼ିଶାରେ ଦେଖାଗଲା ବଂଶଜ

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିରେ ମଜିଯାଇଛି । ତେବେ ଅଯୋଧ୍ୟା ନଗରୀରେ ରାମଲାଲାଙ୍କ ଦିବ୍ୟ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଥିବା ବେଳେ ଓଡିଶାରେ ଗୋଟିଏ ପରେ ଗୋଟିଏ ଅଲୌକିକ ଘଟଣା ଦେଖିବାକୁ ମିଳୁଛି । ଏବେ କୁହାଯାଉଛି ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସରିବା ପରେ ସେଠାରୁ ଜଟାୟୁ ପକ୍ଷୀ ଉଡ଼ି ଆସିଛନ୍ତି । କାରଣ ଓଡ଼ିଶାର ଏକ ଗାଁରେ ବିଶାଳକାୟ ଗିଧ ପକ୍ଷୀକୁ ଦେଖାଯାଇଛି । ଏହି ପକ୍ଷୀକୁ ଦେଖିବା ପରେ ଘଟଣାସ୍ଥଳରେ ଭକ୍ତି ଭାବରେ ଗୁଞ୍ଜରିତ ହୋଇ ଉଠିଛି ‘ଜୟ ଶ୍ରୀରାମ’ ଧ୍ୱନୀ ।

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଟେଲାପାଲି ଗ୍ରାମର ନଦୀରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି । ଏହାକୁ ସ୍ଥାନୀୟ ଲୋକେ ଗିଧ ପକ୍ଷୀ ବୋଲି ଚିହ୍ନଟ କରିଛନ୍ତି । ତେବେ ଗିଧ ପକ୍ଷୀକୁ ରାମୟଣରେ ବର୍ଣ୍ଣିତ ଜଟାୟୁଙ୍କର ବଂଶଜ ବୋଲି କୁହାଯାଇଥାଏ । ମାତ୍ର ଦୀର୍ଘ ବର୍ଷ ଏହି ଗିଧ ପକ୍ଷୀ ଦେଖାଯାଉ ନଥିବା ବେଳେ ଏହାକୁ ବିଲୁପ୍ତ ବୋଲି କୁହାଯାଉଥିଲା । କିନ୍ତୁ ଅଯୋଧ୍ୟାର ରାମ ମନ୍ଦିରରେ ଜଟାୟୁଙ୍କର ଏକ ବଡ଼ ମୂର୍ତ୍ତି ମଧ୍ୟ ସ୍ଥାପନା କରାଯାଇଛି । ତେବେ ପ୍ରାଣ ପ୍ରତିଷ୍ଠାର କିଛି ଦିନ ପରେ ଏହାକୁ ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ଗାଁ ନଦୀପଠାରେ ଦେଖିବାକୁ ପାଇଛନ୍ତି । ଏ ବିଷୟରେ ଫିରିଙ୍ଗିଆ ଫରେଷ୍ଟର ପ୍ରବୀଣ ଦାସଙ୍କୁ ଘଟଣା ସମ୍ୱନ୍ଧରେ ସୂଚନା ଦିଆଯାଇଥିଲା ।

ଖବର ପାଇ ଫିରିଙ୍ଗିଆ ଫରେଷ୍ଟର ଏବଂ ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ମଧ୍ୟ ଟେଲାପାଲି ଗ୍ରାମରେ ପହଂଚି ଏକ ଅଟୋରେ ଏହି ଗିଧ ପକ୍ଷୀକୁ ଫୁଲବାଣୀ ନେଇଯାଇଥିବା ଜାଣିବାକୁ ମିଳିଛି । ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ କୌଣସି କାରଣ ବଶତଃ ଆଘାତ ରହିଛି ବୋଲି କହିଛନ୍ତି ଉଭୟ ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟର । ତେଣୁ ତାକୁ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ଏହି ପକ୍ଷୀକୁ ପୁଣିଥରେ ଜଙ୍ଗଲରେ ଛାଡି ଦିଆଯିବ । ତେବେ ଏହି ପ୍ରଜାତିର ଗିଧ ବା ଶାଗୁଣା ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି ।

ଏ ଦୃଶ୍ୟ ଦେଖିବା ପରେ କିନ୍ତୁ ହଠାତ୍ ଏହି ସ୍ଥାନ ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛି । ଏହି ପକ୍ଷୀକୁ ଦେଖି ସ୍ୱୟଂ ଜଟାୟୁ ରାମଲାଲାଙ୍କୁ ଦେଖା କରିବା ପାଇଁ ଆସି ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ପ୍ରକୃତରେ ଏହା ଏକ ଶାଗୁଣା ପକ୍ଷୀ, ଯାହା କେଉଁଠାରୁ ଉଡ଼ି ଆସି ଏଠାରେ ବସି ରହିଥିଲା । କିନ୍ତୁ ରାମଙ୍କ ଭକ୍ତିରେ ଲୀନ ଥିବା ଶ୍ରଦ୍ଧାଳୁ ହଠାତ୍ ଏହାକୁ ଦେଖି ଚମକି ଉଠିଥିଲେ ଏବଂ ଜୟ ଶ୍ରୀରାମ ନାରା ଦେଇଛନ୍ତି ।

Get real time updates directly on you device, subscribe now.