fbpx

JDS ନେତା ଶିବାନନ୍ଦ ପାଟିଲଙ୍କ ପରଲୋକ

ନୂଆଦିଲ୍ଲୀ: କର୍ଣ୍ଣାଟକର ଟାଣୁଆ ନେତା ତଥା ଜେଡିଏସର ସବୁଠାରୁ ପ୍ରଭାବୀ ଚେହେରା ଶିବାନନ୍ଦ ପାଟିଲ ଆଉ ନାହାନ୍ତି । ଗତକାଲି ରାତିରେ ହାର୍ଟ ଆଟାକରେ ତାଙ୍କର ପରଲୋକ ଘଟିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳ ଶିବାନନ୍ଦଙ୍କୁ ସିନ୍ଦାଗୀ ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା, ମାତ୍ର ତା’ ପୂର୍ବରୁ ସେ ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି ।

ମୃତ୍ୟୁ ବେଳକୁ ଶିବାନନ୍ଦଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ସିନ୍ଦାଗୀ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ନିକଟରେ ଜେଡିଏସ ପକ୍ଷରୁ ଘୋଷଣା କରାଯାଇଥିଲା । ମାତ୍ର ଅଚାନକ ଗତକାଲି ରାତିରେ ଶିବାନନ୍ଦଙ୍କୁ ହୃଦଘାତ ଆସିଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଶିବାନନ୍ଦଙ୍କ ମୃତ୍ୟୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଶୋକ ବ୍ୟକ୍ତ କରିଥିଲେ ।

ଶିବାନନ୍ଦଙ୍କ ମୃତ୍ୟୁରେ ତାଙ୍କର ପରିବାରରେ ପତ୍ନୀ, ପୁଅ ଓ ଝିଅ ଏବେ ବେସାହାରା ହୋଇ ଯାଇଛନ୍ତି । ଜେଡିଏସ ପକ୍ଷରୁ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ନିକଟରେ ମଧ୍ୟ ଦେଶରେ କିଛି ବରିଷ୍ଠ ରାଜନେତା ପରଲୋକ ଗମନ କରିଥିଲେ । ଜେଡିୟୁର ପୂର୍ବତନ ସଭାପତି ଶରଦ ଯାଦବ, କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧରୀ ନିକଟରେ ଆରପାରିକୁ ଚାଲି ଯାଇଥିଲେ ।

Get real time updates directly on you device, subscribe now.