fbpx

କୁସ୍ତି ଯୋଦ୍ଧା ଯୌନ ନିର୍ଯାତନା ମାମଲା: ହଟିଲା ଧାରଣା, ୪ ସପ୍ତାହରେ ସରିବ ତଦନ୍ତ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ମୁଖ୍ୟ ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ମାମଲାରେ ନୂଆ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଧାରଣାରତ କୁସ୍ତି ଯୋଦ୍ଧାଙ୍କ ସହିତ ଦୀର୍ଘ ୭ ଘଣ୍ଟା ଧରି ଆଲୋଚନା କରିଥିଲେ । ତେବେ ସମାଧାନର ଆଶ୍ୱାସନା ଦିଆଯିବା ପରେ ଏବେ ରେସଲର୍ସ ଧାରଣାରୁ ହଟିଯାଇଛନ୍ତି ।

ପୂର୍ବରୁ ଏହି ମାମଲାର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ (ଆଇଓଏ) ପକ୍ଷରୁ ୭ ଜଣିଆ କମିଟି ଗଠନ କରାଯାଇଥିଲା । ଯୌନ ଶୋଷଣ ଅଭିଯୋଗ ମାମଲାରେ ଡବ୍ଲ୍ୟୁଏଫଆଇ ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରିଥିଲେ ବ୍ରିଜଭୂଷଣ । ଏହା ପୂର୍ବରୁ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କୁସ୍ତି ମହାସଂଘ ଓ ଏହାର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କୁ ୭୨ ଘଣ୍ଟା ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ପାଖାପାଖି ୭ ଘଣ୍ଟାର ଆଲୋଚନା ପରେ ଶ୍ରୀ ଠାକୁର ପ୍ରେସ୍ କନଫରେନ୍ସ କରି କହିଛନ୍ତି ଯେ, କୁସ୍ତି ସଂଘର ଅଧ୍ୟକ୍ଷ ଯାଞ୍ଚରେ ସହଯୋଗ କରିବେ । ଯାଞ୍ଚ ସମୟରେ ସେ ଡବ୍ଲ୍ୟୁଏଫଆଇର ଦୈନିକ କାର୍ଯ୍ୟଠାରୁ ଦୂରେଇ ରହିବେ । ଏହି ମାମଲାର ଯାଞ୍ଚ ପାଇଁ ଏକ ତଦାରଖ କମିଟି ଗଠନ କରିବା ନେଇ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏହି କମିଟିର ସଦସ୍ୟଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ । ୪ ସପ୍ତାହ ମଧ୍ୟରେ କମିଟି ନିଜର ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବ । ଡବ୍ଲ୍ୟୁଏଫଆଇ ଓ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ଯାଞ୍ଚ କରାଯିବ ।

ତେବେ ଏହି ନିଷ୍ପତ୍ତି ପରେ କ୍ରୀଡ଼ାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବଜରଙ୍ଗ । ନିରପେକ୍ଷ ଯାଞ୍ଚ ଆଶାରେ ସେମାନେ ଧାରଣାରୁ ହଟିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତିନିଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରଠାରେ କୁସ୍ତିଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ସମେତ ୩୦ ଜଣ କ୍ରୀଡ଼ାବିତ କୁସ୍ତି ମହାସଂଘ ଓ ତା’ର ଅଧ୍ୟକ୍ଷଙ୍କ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିରହିଥିଲେ ।

Get real time updates directly on you device, subscribe now.