fbpx

ଇସ୍ତଫା ଦେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ? ବିଜେପି ସାଂସଦଙ୍କ ବୟାନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ମାତ୍ର ବାକିଥିବା ବେଳେ ଏନେଇ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ଝାଡ଼ଖଣ୍ଡ ରାଜନୀତିରେ ଅଚାନକ ହଲଚଲ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ଜଣେ ବିଧାୟକ ଇସ୍ତଫା ଦେବା ପରେ ଏବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ଗାଣ୍ଡେ ଆସନରୁ ନିର୍ବାଚିତ ହୋଇଥିବା ଏଜଏମଏମ ବିଧାୟକ ସରଫ୍ରାଜ ଅହମଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ପଛର କାରଣ ଉଲ୍ଲେଖ କରିନଥିବା ବେଳେ ତାଙ୍କର ଇସ୍ତଫାପତ୍ର ଗ୍ରହଣୀୟ ହୋଇସାରିଥିବା ଜଣାପଡ଼ିଛି । ସରଫ୍ରାଜ ୧୯୮୦ ଓ ୨୦୦୯ରେ କଂଗ୍ରେସ ଟିକେଟରେ ଓ ୨୦୧୯ରେ ଜେଏମଏମ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସରଫ୍ରାଜଙ୍କ ଏଭଳି ଅଚାନକ ନିଷ୍ପତ୍ତିକୁ ନେଇ ଏବେ ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଦେଖିବାକୁ ମିଳିଛି ।

ତେବେ ଜେଏମଏମର ଜଣେ ବିଧାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ସୋରେନ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେବେ ଓ ତାଙ୍କର ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏହି ବୟାନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍ ହୋଇ ଉଠିଛି । ତେବେ ଗତ କିଛିଦିନ ଧରି ସରଫ୍ରାଜ ଦଳ ଉପରେ ଅସନ୍ତୁଷ୍ଟ ରହିଥିବା କିଛି ରିପୋର୍ଟରୁ ଜଣାପଡ଼ିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶ୍ରୀ ସୋରେନଙ୍କୁ ବାରମ୍ବାର ସମନ ଜାରି କରାଯାଇଥିଲେ ହେଁ ସେ ତା’ର କୌଣସି ଜବାବ ଦେଇନାହାନ୍ତି । ଅନ୍ୟପକ୍ଷରେ ଇଡିର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ରାଜ୍ୟରେ ଜେଏମଏମ- ଗଠନ ମେଣ୍ଟ ସରକାର ବିକଳ୍ପ ସନ୍ଧାନରେ ରହିଥିବା କୁହାଯାଉଛି ।

Get real time updates directly on you device, subscribe now.