fbpx

ବୀରଭୂମି ହିଂସାରେ ଜୀଅନ୍ତା ଜଳିଗଲେ ନବ ବିବାହିତା ଦମ୍ପତି, ବିବାହକୁ ହୋଇଥିଲା ଏକମାସ

କେତେ ସ୍ୱପ୍ନ, ଆଶା ନେଇ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ ସବୁଦିନ ପାଇଁ । ସାରା ଜୀବନ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିଲେ ଦୁହେଁ ଦୁହିଁଙ୍କୁ  । ଆଉ ଗଢିଥିଲେ ତାଙ୍କର ସୁନାର ସଂସାର । ବିବାହକୁ ହୋଇଥିଲା ମାତ୍ର ଏକମାସ । ଜୀବନସାଥୀ ହୋଇ ନିଜର ଏକ ସୁନାର ସଂସାରରେ ବେଶ ଖୁସିରେ ଜୀବନ କାଟିବା ଆରମ୍ଭ କରିଥିଲେ । କିଏ ଜାଣିଥିଲା ତାଙ୍କର ଜୀବନର ସେହି ମୂହୁର୍ତ୍ତରେ କାଳ ଚାହିଁ ବସିଛି । ସବୁ ସ୍ୱପ୍ନକୁ ସତ କରିବା ପୂର୍ବରୁ ହିଁ ଦଗ୍ଧ ହୋଇଯିବ ସବୁ ବୋଲି ଦୁହେଁ କଳ୍ପନା ବି କରିନଥିବେ । ବୈବାହିକ ଜୀବନର ଯାତ୍ରା ଆରମ୍ଭ ହୋଇଥିଲା ଆଉ ମାଡି ଆସିଲା କାଳ । ସବୁକିଛି ଜାଳି ଭଷ୍ମ କରିଦେଇ ଚାଲିଗଲା ।  ଏଭଳି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଗଲେ ଏହି ନବ ଦମ୍ପତ୍ତି । ଆଉ ଛାରଖାର ହୋଇଗଲା ସବୁକିଛି । ଜଳିଗଲା ସବୁ ସ୍ୱପ୍ନ, ହାରିଗଲେ ଦୁହେଁ ଜୀବନ ଯୁଦ୍ଧରେ ।

ପଶ୍ଚିମବଙ୍ଗର ବୀରଭୂମିରେ ଏଭଳି ଏକ ଛାତି ଥରାଇଲା ଭଳି ଖବର ସାମ୍ନାକୁ ଆସିଛି । ଏଭଳି ଏକ ଲୋମଟାଙ୍କୁରା ଘଟଣା ବର୍ତ୍ତମାନ ସବୁଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବୀରଭୂମିରେ ହିଂସାକାଣ୍ଡରେ ଶିକାର ହୋଇ ଏକ ନବବିହିତ ଦମ୍ପତ୍ତି ଜୀବନ୍ତ ଦଗ୍ଦ ହୋଇଛନ୍ତି । ଏହି ଘଟଣା ଏବେ ସେହି ଅଂଚଳରେ ହଇଚଇ ସୃଷ୍ଟି କରିଛି । ଏହି ନବବିବାହିତ ସ୍ୱାମୀ-ସ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ଲିଲି ଖାତୁନ ଏବଂ କ୍ୱାଜି ସାଜିଦୁର । ଅଳ୍ପ କିଛି ହେବ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ଦୁହେଁ ବୀରଭୂମି ଜିଲ୍ଲାରୁ ହିଁ ବାଗଟୁଇ ଗାଁର ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ । ହଠାତ୍ ମଧ୍ୟରାତ୍ରିରେ ସାଜିଦୁର ଏବଂ ତାଙ୍କ ପତ୍ନୀ ରହୁଥିବା ଘରୁ ବାହାରୁ କେହି ଜଣେ କବାଟ ତାଲା ପକାଇ ଦେଇଥିଲେ । ଏହା ପରେ ଉକ୍ତ ଘରେ ନିଆଁ ଲଗାଇଦେଇଥିଲେ । ଘରେ ଭିତରେ ଅସହାୟ ହୋଇ ସାଜିଦୁର ତାଙ୍କ ସାଙ୍ଗ ମାଜିମଙ୍କୁ ଫୋନ୍ କରିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ସେ ସାହାଯ୍ୟ ମାଗିଥିଲେ । ମାଜିମ ପୁଲିସକୁ ଫୋନ୍ କରିବା ପାଇଁ ସାଜିଦୁର ନିବେଦନ କରିଥିଲେ । ମାଜିମ ସଙ୍ଗେ ସଙ୍ଗେ ସାଜିଦୁରଙ୍କ ବାପାଙ୍କୁ ଫୋନ୍ କରିଥିଲେ । ଯେତେବେଳେ ସାଜିଦୁରଙ୍କ ବାପା ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ ତାହା ବିଫଳ ହୋଇଥିଲା । ଆଉ ଏହାରି ଭିତରେ ଛଟପଟ ହୋଇ ଜଳିଯାଥିଲେ ସ୍ୱାମୀ-ସ୍ତ୍ରୀ । ତେବେ ଏହାର ପରଦିନ ସକାଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।

ବେଙ୍ଗଲର ବୀରଭୁମ ଜିଲ୍ଲାର ରାମପୁରହତ ଜିଲ୍ଲାରେ ହିଂସାକାଣ୍ଡ ଘଟି ପ୍ରାୟ ଡଜନରୁ ଅଧିକ ଘର ପାଉଁଶ ହୋଇଛି । ପ୍ରାୟ ୮ ଜଣ ଲୋକେ ପ୍ରାଣ ହରାଇଛନ୍ତି । ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି  । ଯାହାର ନେତୃତ୍ୱ ନେଉଛନ୍ତି ଏଡିଜି ଜ୍ଞାନବନ୍ତ ସିଂହ । ଇତି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଘଟଣାର ରିପୋର୍ଟ ମଗାଯାଇଛି । ୭୨ ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.