fbpx

ଜିନ୍ନା ଚାହୁଁ ନ ଥିଲେ ଆମ ଦେଶର ନାମ ‘ଇଣ୍ଡିଆ’ ରହୁ ବୋଲି, ତେବେ ସେ କ’ଣ ଚାହୁଁଥିଲେ ଓ କାହିଁକି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଇଣ୍ଡିଆ କି ଭାରତ ଆମ ଦେଶର ନାମ କ’ଣ ହେବା ଉଚିତ ? ଏହି ପ୍ରଶ୍ନକୁ ନେଇ କିଛିଦିନ ହେବ ସାରା ଦେଶରେ ପରିସି୍ଥତି ବେଶ୍ ଉଷ୍ମ ରହିଛି । ବହୁ ଲୋକ ଆମ ଦେଶର ନାମ ଭାରତ ରଖାଯିବା ପକ୍ଷରେ ଅଛନ୍ତି କାରଣ ଇଣ୍ଡିଆ ଶବ୍ଦ ଔପନିବେଶିକ ଶକ୍ତିର ଗୋଲାମୀରେ ଆଜି ବି ବାନ୍ଧି ହୋଇରହିଥିବା ପରି ମନେ ହେଉଛି । ଏହି ଇଣ୍ଡିଆ ବନାମ ଭାରତ ବିବାଦ ସେବେଠାରୁ ଆରମ୍ଭ ହୋଇଛି ଯେବେଠାରୁ ଜି ୨୦ ରାତ୍ରୀ ଭୋଜନ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା । ଏହି ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ସ୍ଥାନରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯାଇଥିଲା । ଏହାପରେ ବିରୋଧୀ ଦଳ ସରକାର ଦେଶର ନାମ ବଦଳାଇ ଦେବେ ବୋଲି ଅଭିଯୋଗ କରିଥିଲେ । ଭାରତ ଓ ଇଣ୍ଡିଆ ଶବ୍ଦ ଉପରେ ବହୁ ବିରୋଧ ଓ ସମର୍ଥନ ବି ମିଳିଛି । କିନ୍ତୁ କ’ଣ ଆପଣ ଜାଣନ୍ତି ଯେ, ଭାରତରୁ ଅଲଗା କରି ପାକିସ୍ତାନ ଗଠନ କରିଥିବା ମହମ୍ମଦ ଅଲୀ ଜିନ୍ନାଙ୍କୁ ବି ଇଣ୍ଡିଆ ଶବ୍ଦ ସହ ଆପତ୍ତି ଥିଲା ବୋଲି । ସେ କହୁଥିଲେ ଆମ ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ ଆଉ କିଛି ବି ରହିବା ଉଚିତ ।

ଜିନ୍ନା ଭାରତର ନାମ ଇଣ୍ଡିଆ ପରିବର୍ତ୍ତେ ହିନ୍ଦୁସ୍ତାନ କରାଯିବା ସପକ୍ଷରେ ଥିଲେ । ଜିନ୍ନା କହୁଥିଲେ ଇଣ୍ଡିଆ ଶବ୍ଦ ବହୁତ ଭ୍ରମାତ୍ମକ । ତାଙ୍କ ମତ ଥିଲା ବ୍ରିଟିଶ ଶାସନରୁ ସ୍ୱାଧୀନ ହୋଇଥିବା କୌଣସି ବି ରାଷ୍ଟ୍ର ଇଂରେଜ ପକ୍ଷରୁ ରଖାଯାଇଥିବା ନାମକୁ ଆପଣାଇବା ଅନୁଚିତ । ଜିନ୍ନା ସେତେବେଳେ ଦେଶର ନାମ ଇଣ୍ଡିଆ ନ ରଖିବାକୁ ନେଇ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଲୁଇ ମାଉଣ୍ଟବେଟେନଙ୍କୁ ପତ୍ର ଲେଖିଥିଲେ । ସେ ଏହି ପତ୍ରରେ ଲେଖିଥିଲେ ଯେ, ଇଣ୍ଡିଆ ନାମ ଭ୍ରମାତ୍ମକ ଓ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।

ପାକିସ୍ତାନ ଓ ଭାରତକୁ ୧୯୪୭ ମସିହା ଅଗଷ୍ଟ ମାସରେ ସ୍ୱାଧୀନତା ମିଳିଥିଲା । ସ୍ୱାଧୀନତା ମିଳିବାର ପରବର୍ତ୍ତୀ ମାସରେ ଲଣ୍ଡନରେ ଭାରତୀୟ କଳାର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ମାଉଣ୍ଟବେଟେନ ଜିନ୍ନାଙ୍କୁ ଅଧ୍ୟକ୍ଷ କରିବା ଲାଗି ଆମନ୍ତ୍ରଣ ପତ୍ର ପଠାଇଥିଲେ । ଏହି ଆମନ୍ତ୍ରଣ ପତ୍ରରେ ଇଣ୍ଡିଆ ଲେଖାଯାଇଥିବାରୁ ସେ ଏହାକୁ ଅସ୍ୱୀକାର କରିଥିଲେ । ଏହାର ଜବାବରେ ସେ ମାଉଣ୍ଟବେଟେନଙ୍କୁ ପତ୍ର ଲେଖିଥିଲେ , ଦୁଃଖର କଥା ଏହି ଯେ, କୌଣସି ଅଜବ କାରଣରୁ ହିନ୍ଦୁସ୍ତାନ ଇଣ୍ଡିଆ ଶବ୍ଦକୁ ଆପଣାଇ ନେଇଛି । ଏହା ହେଉଛି ଏକ ଭ୍ରମାତ୍ମକ ଶବ୍ଦ ଓ ଏହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ।

ଦେଶ ବିଭାଜନର ୨ ବର୍ଷ ପରେ ସମ୍ବିଧାନ ସଭାର ପୁଣି ବୈଠକ ବସିଥିଲା । ଏଥିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତର୍କ ହେବା ସମୟରେ ଦେଶର ନାମ ହିନ୍ଦୁସ୍ତାନ କରାଯିବାକୁ ମଧ୍ୟ ଦାବୀ ଉଠିଥିଲା କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଇ ନ ଥିଲା । ଯେତେବେଳେ ସମ୍ବିଧାନ ତିଆରି ହେଲା ସେତେବେଳେ ଏଥିରେ ଦୁଇ ଶବ୍ଦ ଇଂରାଜୀରେ ଇଣ୍ଡିଆ ଓ ହିନ୍ଦୀରେ ଭାରତର ବ୍ୟବହାର କରାଗଲା । ଏହି ଦୁଇ ନାମ ସମ୍ବିଧାନର ଅନୁଚ୍ଛେଦ ୧ରେ ରହିଛି, ଯାହାକୁ ଏ ପର୍ଯ୍ୟନ୍ତ ସଂଶୋଧନ କରାଯାଇନାହିଁ ।

Get real time updates directly on you device, subscribe now.