fbpx

ଚିନ୍ତା ପ୍ରକଟ କଲା WHO: ଓଡ଼ିଶା ସମେତ ୧୨ଟି ରାଜ୍ୟରେ JN.1 ସବ୍-ଭାରିଆଣ୍ଟର ନୂଆ ମାମଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ର ନୂଆ ସବ-ଭାରିଆଣ୍ଟ ଜେଏନ.୧କୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । ଜାନୁଆରୀ ୭ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୨ଟି ରାଜ୍ୟରେ ଏହି ସବ-ଭାରିଆଣ୍ଟର ୬୮୨ଟି ନୂଆ ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଟକରେ ୧୯୯ଟି, କେରଳରେ ୧୪୮ଟି, ମହାରାଷ୍ଟ୍ରରେ ୧୩୯ଟି, ଗୋଆରେ ୪୭ଟି, ଗୁଜରାଟରେ ୩୬ଟି, ଆନ୍ଧ୍ରପ୍ରଦେଶରେ ୩୦ଟି, ରାଜସ୍ଥାନରେ ୩୦ଟି, ତାମିଲନାଡ଼ୁରେ ୨୬ଟି, ଦିଲ୍ଲୀରେ ୨୧ଟି, ଓଡ଼ିଶାରେ ୩ଟି, ତେଲେଙ୍ଗାନାରେ ୨ଟି ଓ ହରିୟାଣାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି ।

ଦେରେ ନୂଆ ଭାରିଆଣ୍ଟର ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହା ଉପରେ ନଜର ରଖିବାକୁ କୁହାଯାଇଛି । ଏଥିସହିତ ଇନଫ୍ଲୁଏଞ୍ଜା ପରି ଗମ୍ଭୀର ବିମାରୀକୁ ନେଇ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ କୁହାଯାଇଛି । ମାମଲାକୁ ଦୃଷ୍ଟିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି, ଜେଏନ.୧ ଏକ ଅଲଗା ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ (ବିଓଆଇ) । ଏହା ବିଶ୍ୱର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି କମ୍ ଘାତକ । କରୋନା ଭାଇରସର ଜେଏନ.୧ ସବଭାରିଆଣ୍ଟକୁ ପୂର୍ବରୁ ବିଏ.୨.୮୬ ସବଭାରିଆଣ୍ଟରେ ବିଓଆଈ ଭାବେ ବର୍ଗୀକୃତ କରାଯାଇଥିବା ହୁ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜେଏନ.୧ ସବ୍-ଭାରିଆଣ୍ଟର ଲକ୍ଷଣକୁ ନେଇ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଗତମାସରେ ଏକ ରିପୋର୍ଟ ଜାରି କରାଯାଇଥିଲା । ଜେଏନ.୧ ସବ-ଭାରିଆଣ୍ଟର ଲକ୍ଷଣକୁ ଅଣଦେଖା କରିବା ଅନୁଚିତ । ଯଦି ଏହିସବୁ ଲକ୍ଷଣ ଦେଖାଯାଏ ତେବେ ସଙ୍ଗେସଙ୍ଗେ ତା’ର ଯାଞ୍ଚ କରାଇନେବା ଉଚିତ । ୧୦ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ୩୯ ଡିଗ୍ରୀ ସେଲସିୟସ ଉପରେ ଥଣ୍ଡା ରହିଲେ, ଗମ୍ଭୀର ତୀବ୍ର ଶ୍ୱାସ ସଂକ୍ରମଣ (ସାରି) ପରି ଲକ୍ଷଣ ଥିଲେ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବା ଆବଶ୍ୟକ ବୋଲି ଏମ୍ସ ମ୍ୟାନେଜମେଣ୍ଟ ଦ୍ୱାରା ପ୍ରଦତ୍ତ କୋଭିଡ-୧୦ ଗାଇଡଲାଇନ୍ସରେ କୁହାଯାଇଥିଲା ।

ସେହିପରି ଗଳାରେ ସଂକ୍ରମଣ, ନିଦ ନ ଆସିବାରେ ସମସ୍ୟା ଦେଖାଦେବା, ଉଦବେଗ ଆସିବା, ନାକରୁ ସିଂଘାଣି ବୋହିବା, ଥଣ୍ଡା ଲାଗିବା, କାଶ ଆସିବା, ମୁଣ୍ଡ ବ୍ୟଥା ହେବା, ଦୁର୍ବଳତା ବା ଥଣ୍ଡାପଣ ଲାଗିବା, ମାଂପେଶୀରେ ଯନ୍ତ୍ରଣା ହେବା, ଛିଙ୍କ ଆସିବା ଆଦି ଲକ୍ଷଣ ଦେଖାଦେଲେ ତାହା ଇନଫ୍ଲୁଏଞ୍ଜାର ଲକ୍ଷଣ ହୋଇଥାଇପାରେ । ତେଣୁ ସେ କ୍ଷେତ୍ରରେ ପ୍ରଥମରୁ ଟେଷ୍ଟ କରିନେବା ଭଲ ବୋଲି ୟୁକେର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ । ଭ୍ୟାକ୍ସିନେସନ ବା ପୁରୁଣା ସଂକ୍ରମଣରୁ ପ୍ରାପ୍ତ ହୋଇଥିବା ଆଣ୍ଟିବଡି କାରଣରୁ ନୂଆ ଭାରିଆଣ୍ଟର ଲକ୍ଷଣର ପରିବର୍ତ୍ତନ ବିଷୟରେ କହିବା ମୁସ୍କିଲ ବୋଲି ଏକ୍ସପର୍ଟମାନେ କହିଥିଲେ ।

ତେବେ ଭାରତୀୟମାନେ ପୂର୍ବରୁ ଓମିକ୍ରମନର ଭାରିଆଣ୍ଟ ସମେତ ଅନେକ ସବ-ଭାରିଆଣ୍ଟ ସମ୍ପର୍କରେ ଆସିବା ସହିତ ସେମାନେ ଭାକ୍ସିନ ନେଇସାରିଛନ୍ତି । ତେଣୁ ନୂଆ ଭାରିଆଣ୍ଟରେ ଗମ୍ଭୀର ବୀମାରୀର ଆଶଙ୍କା କମ୍ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଭିଡ଼ ସ୍ଥାନରୁ ଦୂରେଇ ରହିବା ସହିତ କାଶିବା ଓ ଛିଙ୍କିବା ସମୟରେ ମୁହଁ-ନାକକୁ ବନ୍ଦ କରିବା, ହାତକୁ ଧୋଇବା ଆବଶ୍ୟକ ବୋଲି ହେଲଥ୍ ଏକ୍ସପର୍ଟ କହିଥିଲେ ।

Get real time updates directly on you device, subscribe now.