ବାଲେଶ୍ୱର,୨୧ା୩: ବାଲେଶ୍ୱରରେ ଶୁକ୍ରବାର ଅପରାହ୍ନରେ ତାଣ୍ଡବ ରଚିଛି କାଳବୈଶାଖୀ । କେଉଁଠି ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି ତ କେଉଁଠି ଲୋକେ ଗୁରୁତର ହୋଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଜିଲାର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଳିଆପାଳରେ କାଳବୈଶାଖୀ କ୍ଷତି ଘଟାଇଛି । ଏହାର ପ୍ରଭାବରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦୁ୍ୟତ୍ ସରବରାହ ବନ୍ଦ ରହିଛି । ଲୋକଙ୍କ ଘରର ଆଜବେଷ୍ଟସ ଭାଙ୍ଗିଥିବା ବେଳେ ଘର ଉପରେ ବି ଗଛ ପଡ଼ିଛି । ଗଛ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସୂଚନାଯୋଗ୍ୟ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭାଗ କହିଛି, ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଆଜି ଏନେଇ ୫ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର। ଏସବୁ ଜିଲାର କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସତର୍କ ସୂଚନା ଜାରି କରାଯାଇଥିବା ଜିଲାଗୁଡ଼ିକରେ ୫୦ରୁ ୬୦ କିମି ବେଗରେ ପବନ ବହିବ। ସେହିପରି କାଳବୈଶାଖୀ ନେଇ ଉପକୂଳ ଜିଲା ଯଥା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ଅନୁଗୋଳ ପଶ୍ଚିମ ଓଡ଼ିଶାର ଦେବଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼ ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି ।