ରାଜ୍ୟରେ ଥମୁନି ନାରୀ ନିର୍ଯାତନା ଓ ହତ୍ୟା ପରି ଘୃଣ୍ୟକାଣ୍ଡ । ଗୋଟିଏ ପଟେ ମମିତା ମେହେର ହତ୍ୟା ଘଟଣା ମନରୁ ନଲିଭୁଣୁ ଏବେ ସେହି କଳାହାଣ୍ଡି ଜିଲ୍ଲାରୁ ପୁଣି ଏକ ନାରୀ ନିର୍ଯ୍ୟାତନା ଅଭିଯୋଗ ଆସିଛି । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ଜଣେ ଗର୍ଭବତୀ ମହିଳା । ସ୍ୱାମୀ ଓ ଶାଶୁ ଶ୍ୱଶୁର ମିଳିତ ଭାବେ ନିର୍ମମ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଏହିି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଜିଲ୍ଲାରେ ନାରୀ ନିର୍ଯାତନା ଏବଂ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଭଳି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା ପୋଲିସର ନୀରବଦ୍ରଷ୍ଟାକୁ ନେଇ ସନ୍ଦେହ ଉପୁଜିଛି । ଘଟଣାକୁ ନେଇ ମୃତ ମହିଳା ପ୍ରେମସିଲାଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁଙ୍କ ନାଁରେ କେଗାଁ ଥାନାରେ ଏଫଆଇଆର ଦାଏର ହୋଇଥିଲା । ପ୍ରେମଶିଲା ୫ ମାସର ଗର୍ଭବତୀ ଥିବାରୁ ଏନେଇ କେସ ନଂ ୦୧୩୭, ଆଇପିସି, ୪୯୮-ଏ୩୦୪-ଉ/୩୪/୪ ଅନୁସାରେ ଅଭିଯୁକ୍ତ ସ୍ୱାମୀ ଖୀରସିନ୍ଧୁକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଦାୟିତ୍ୱରେ ଥିବା ଆଇଆଇସି ଯୁଗଳ ଶବର ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରକୃତ ଦୋଷୀକୁ ପୋଲିସ ଚିହ୍ନଟ କରିବାରେ ବିଫଳ ହୋଇଥିବାର ଅଭିଯୋଗ କରି ପ୍ରେମଶିଲାଙ୍କ ପରିବାର କଳାହାଣ୍ଡି ଆରକ୍ଷି ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।