fbpx

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ଅଡିଟୋରିୟମ ଓ କଲ୍ୟାଣ ମଣ୍ଡପ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଖୁବଶୀଘ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅଡିଟୋରିୟମ ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଭାଗର ସମୀକ୍ଷା କରାଯିବା ଅବସରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏନେଇ ସୂଚନା ଦେଇଛନ୍ତି ।

ଏନେଇ ମନ୍ତ୍ରୀ କହିଛନ୍ତି, ବିଜୁ କେବିକେ ଯୋଜନାରେ ୮ଟି ଜିଲ୍ଲାର ଭିତ୍ତିଭୂମିର ବିକାଶ ପାଇଁ ୯୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେହିପରି ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୨୩୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଖଣି ପ୍ରଭାବତ ଅଞ୍ଚଳର ବିକାଶ ପାଇଁ ୧୨,୭୯୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ ୩୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ।

୫ଟି ଉପକ୍ରମ ଅନୁସାରେ ରାଜ୍ୟ ସରକାର ସଶକ୍ତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ଜିଲ୍ଲାରେ ଇ-ଲାଇବ୍ରେରୀ, ଆଇଟି ଲ୍ୟାବ, ବିଜ୍ଞାନ ଲ୍ୟାବ ଓ ସ୍ମାର୍ଟ କ୍ଲାସରୁମ୍ ନିର୍ମାଣ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି । ବିଶ୍ୱ ବ୍ୟାଙ୍କ ରାଜ୍ୟକୁ ପାଖାପାଖି ୩୦ ନିୟୁତ ଆମେରିକୀୟ ଡଲାର ସାହାଯ୍ୟ କରିବା ନେଇ ପ୍ରତିଶ୍ରୁତି ଦେଇଛି । ରାଜ୍ୟର ସମସ୍ତ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦୪ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଅର୍ଥକୁ ବିଭିନ୍ନ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ଉପଯୋଗ କରାଯାଉଛି ।

Get real time updates directly on you device, subscribe now.