fbpx

ଋଣ କରି ଲଢିଲେ ନିର୍ବାଚନ, ଏବେ ବଡ ବଡଙ୍କୁ ଧୂଳି ଚଟାଇ ହେଲେ ବିଧାୟକ

ଭୋପାଳ: କୁହାଯାଏ ବିଧାନସଭା ନିର୍ବାଚନ ଲଢିବା କୌଣସି ସାଧାରଣ କଥା ନୁହେଁ । ଏହି ନିର୍ବାଚନରେ କୌଣସି ସାଧାରଣ କିମ୍ବା ଗରିବ ଲୋକ ତ ଲଢିପାରିବ ନାହିଁ । କାରଣ ନିର୍ବାଚନ ପ୍ରଚାରରେ ଲକ୍ଷେ ତ ନୁହେଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିବାକୁ ପଡିଥାଏ । ଜନସଭା, ର‌୍ୟାଲି ଇତ୍ୟାଦିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ମତଦାତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରୟାସ କରିବାକୁ ପଡିଥାଏ । ଏହାସହିତ ନିଜ ଦଳର କର୍ମକର୍ତ୍ତାଙ୍କ ପଛରେ ମଧ୍ୟ ପାଣି ପରି ପଇସା ବୁହାଇବାକୁ ପଡିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିପାରୁଛନ୍ତି କି କୌଣସି ପ୍ରାର୍ଥୀ ଋଣ କରି ନିର୍ବାଚନ ଲଢିବେ ଆଉ ବିଜୟ ବି ହାସଲ କରିବେ । କହିବା, ଶୁଣିବା ଓ ଦେଖିବାକୁ ତ ଏହା ଅସମ୍ଭବ ମନେ ହେଉଛି କିନ୍ତୁ ଏପରି ଘଟଣା ସତ ହୋଇଛି । ଏହା ସତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ସୈଲାନା ବିଧାନସଭା ସିଟ୍‌ରୁ ଭାରତୀୟ ଆଦିବାସୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା କମଳେଶ୍ୱର ଡୋଡିୟାର ।

କମଳେଶ୍ୱର ଋଣ ନେଇ ନିର୍ବାଚନ ଲଢିଥିଲେ ଓ ନିର୍ବାଚନରେ ବଡ ବଡ ମହାରଥୀଙ୍କୁ ବି ଧୂଳି ଚଟାଇ ଦେଇଛନ୍ତି । କମଳେଶ୍ୱର କଂଗ୍ରେସର ପ୍ରାର୍ଥୀ ହର୍ଷ ବିଜୟ ଗେହଲଟଙ୍କୁ ୪୬୧୮ ଭୋଟ୍‌ରେ ହରାଇ ଦେଇଛନ୍ତି । କମଲେଶ୍ୱରଙ୍କୁ ୭୧୨୧୯ ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀଙ୍କୁ ୬୬୬୦୧ ଭୋଟ ମିଳିଛି ।

ଏବେ କମଲେଶ୍ୱର ବିଧାୟକ ତ ପାଲଟି ଯାଇଛନ୍ତି କିନ୍ତୁ ସେ ଯେଉଁ ଋଣ ନେଇଥିଲେ ତାହା ସୁଝିବାର ବେଳ ଆସିଯାଇଛି । ଏହା ସୁଝିବା ଲାଗି ସେ ଗତ କିଛିଦିନ ହେବ ନିଜ ଅଞ୍ଚଳବାସୀଙ୍କୁ ଗୁହାରୀ କରୁଥିବା ଦେଖାଯାଇଛି । ଏହାସହିତ ସେ ବହୁ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇ ଲୋକମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରୁଛନ୍ତି । କମଲେଶ୍ୱର ଦାବୀ କରିଛନ୍ତି କି ନିର୍ବାଚନରେ ସେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଓ ଏହି ଟଙ୍କା ସେ ଋଣ କରିଛନ୍ତି ।

Get real time updates directly on you device, subscribe now.