ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ ହେବ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟ: ଖର୍ଚ୍ଚ ହେବ ୧ ହଜାର କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ନେଇ ରାଜ୍ୟ ସରସକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ଏକାଧିକ ମନ୍ଦିର, ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶମତେ ୫ଟି ସଚିବ ଭି.କେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।

ଶ୍ରୀ ପାଣ୍ଡିଆନ ପ୍ରଥମେ ଖଜୁରିଆପଡ଼ା ବ୍ଲକ ସ୍ଥିତ ମା’ ବରାଳଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କମିଟି ସଦସ୍ୟଙ୍କ ସହିତ ମନ୍ଦିରର ଉନ୍ନତି ନେଇ ଆଲୋଚନା କରିଥିଲେ । ଏହାର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫୁଲବାଣୀରେ ନିର୍ମାଣାଧୀନ ବସଷ୍ଟାଣ୍ଡ ପ୍ରକଳ୍ପ ପାଇଁ ୫.୨୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଉକ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କନ୍ଧମାଳରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସରିବ । ଏକ ହଜାର କୋଟି ଟଙ୍କାରେ ନିର୍ମିତ ଏହି କଲେଜ ଓ ହସ୍ପିଟାଲ ମାଧ୍ୟମରେ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର ଚିକିତ୍ସା ସେବା ପାଇ ପାରିବେ । ଏଥିସହିତ ଲୋକଙ୍କୁ ଉତ୍ତମ ପାନୀୟ ଜଳ ପ୍ରଦାନ ଲକ୍ଷ୍ୟରେ ୪୯୯.୯୧ କୋଟି ଟଙ୍କାର ଏକ ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଫୁଲବାଣୀ, ଖଜୁରିଆପଡ଼ା, ଫିରିଙ୍ଗିଆ ଓ ଚକାପାଦ ଆଦି ବ୍ଲକ ଅଞ୍ଚଳର ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇପ୍ ଯୋଗେ ପାଇ ପାରିବେ ।

ଜିଲ୍ଲାର ୩୬ଟି ଶିକ୍ଷାନୁଷ୍ଠାନକୁ ୫ଟି ରୂପାନ୍ତର କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ଏହାର ଉନ୍ନତିକରଣ ପାଇଁ ୧୮.୭୫ କୋଟି ଟଙ୍କା ବିନିଯୋଗ କରାଯିବ । ୧୧ଟି ଡିଗ୍ରୀ କଲେଜ ପାଇଁ ୭.୫୦ କୋଟି, ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୧.୨୫ କୋଟି କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିସହିତ ସମାଜର ପରିବର୍ତ୍ତନ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ଏକ ବଳିଷ୍ଠ ପ୍ଲାଟଫର୍ମ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।