ଶାଶୁ ଘର ଯିବିନି… ଜିଦ୍ ହେଲା କାଳ, ରାଗରେ ସ୍ତ୍ରୀର ନାକ କାମୁଡ଼ି ଚୋବାଇ ଦେଲା ସ୍ୱାମୀ

ନୃଶଂସତାର ସୀମା ଟପିଗଲା ସ୍ୱାମୀ। ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ନେଲା ଉଗ୍ର ରୂପ।

ଉତ୍ତରପ୍ରଦେଶ: ନୃଶଂସତାର ସୀମା ଟପିଗଲା ସ୍ୱାମୀ। ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ନେଲା ଉଗ୍ର ରୂପ। ବିବାଦ ଏତେ ବଢ଼ିଗଲା ରାଗରେ ସ୍ୱାମୀ, ସ୍ତ୍ରୀର ନାକ କାମୁଡ଼ି ଚୋପାଇ ଦେଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାମୀ କାମୁଡ଼ାରେ ଆହାତ ହୋଇଥିବା ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି।

ଉତ୍ତରପ୍ରଦେଶ କନୌଜ ସଦର କୋତୱାଲି କ୍ଷେତ୍ର ସରାୟମୀରା ବସ୍ ଷ୍ଟପ ନିକଟରେ ଘଟିଥିଲା ଏହି ଘଟଣା। ଅନ୍ୟ ଘରେ କାମ କରି ପୀଡ଼ିତା ମହିଳା ଘର ଚଳାଉଥିଲେ। ଘଟଣା ଘଟିଥିବା ଦିନ ମହିଳା କାମ ସାରି ଘରକୁ ଫେରୁଥିବା ବେଳେ ମହିଳାଙ୍କ ସ୍ୱାମୀ ସେଠାକୁ ଆସି ତାଙ୍କୁ ଘରକୁ ଯିବାକୁ ବାଧ୍ୟ କରିଥିଲେ।

ମହିଳା ସ୍ୱାମୀ ସହ ସାଙ୍ଗେ ସାଙ୍ଗେ ଯିବାକୁ ମନା କରିଥିଲେ। କହିଥିଲେ ରାକ୍ଷୀ ପୂର୍ଣ୍ଣିମା ପରେ ସେ ଶାଶୁ ଘରକୁ ଯିବେ। ମହିଳାଙ୍କ ପାଟିରୁ ଏହି ପଦକ ଶୁଣିବା ପରେ ରାଗ ଚଢ଼ିଗଲା ମୁଣ୍ଡରେ। ସ୍ତ୍ରୀଙ୍କ ଘୋଷାଡ଼ି ପାଖରେ ବଣକୁ ନେଇଯାଇଥିଲା ସ୍ୱାମୀ।

ପ୍ରଥମେ ମାରପିଟ୍ ପରେ କାମୁଡ଼ିଦେଲା ନାକ
ବଣରେ ସ୍ତ୍ରୀ ତାଙ୍କ କଥାରେ ରାଜି ହେଉନଥିବାରୁ ରାଗରେ ମାଡ଼ ମାରିଥିଲେ। ସେତିକିରେ ସ୍ୱାମୀର ମନ ଭରିନଥିଲା। ସ୍ତ୍ରୀର ନାକକୁ କାମୁଡ଼ି ଛିଡ଼ାଇ ଦେଲା ସ୍ୱାମୀ। ରକ୍ତାକ୍ତ ଅବସ୍ଥାରେ ସ୍ତ୍ରୀକୁ ରାସ୍ତାରେ ଛାଡ଼ି ଫେରାର ହୋଇଯାଇଥିଲା ସ୍ୱାମୀ।

ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିବା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ଡାକ୍ତର ତାଙ୍କ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ହସ୍ପିଟାଲକୁ ରେଫର କରିଥିଲେ।

୧୪ ବର୍ଷ ପୂର୍ବେ ହୋଇଥିଲା ବାହାଘର
ପୀଡିତା ମହିଳା ଜଣକ ୧୪ ବର୍ଷ ପୂର୍ବେ କାଜିଟୋଲାର ବାସିନ୍ଦା ପପୁ ଦୋହରେ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ପପୁ ପ୍ରାୟ ୧୦ ମାସ ପୂର୍ବେ ଜେଲରୁ ବାହାରିଛନ୍ତି।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ବିବାଦ ପୂର୍ବରୁ ଲାଗ ିରହିଛି। ଯାହା ଯୋଗୁଁ ସ୍ତ୍ରୀ ତାଙ୍କ ବାପଘରେ ରହୁଥିଲେ।

ପୀଡିତା ମହିଳା ଅଭିଯୋଗ କରିଛନ୍ତି ଯେ ସେ କାମରୁ ଫେରୁଥିବା ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ନାକ କାମଡ଼ି ଛିଡ଼ାଇ ଦେଇଥିଲେ।

ପୋଲିସ କ’ଣ କହିଲା?
ମାମଲା ସମ୍ପର୍କରେ ସୂଚନା ଦେଇ କନୌଜ କୋତୱାଲି ପ୍ରଭାରୀ ଜିତେନ୍ଦ୍ର କୁମାର କହିଛନ୍ତି ଯେ ପୀଡିତା ମହିଳାଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଦଳ ଅଭିଯୁକ୍ତଙ୍କୁ ଖୋଜୁଛି। ଘଟଣାର ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।