ରାତି ପାହିଲେ ବସିବ କଂସ ମହାରାଜଙ୍କ ଦରବାର; ବରଗଡ଼ରେ ଆରମ୍ଭ ହେବ ଧନୁଯାତ୍ରା

ବରଗଡ଼: କଂସ ମହାରାଜଙ୍କ ଦରବାର ଲାଗିବ । ମଥୁରା ଓ ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଦେଖିବାକୁ ମିଳିବ । ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ ହେବ । ଚଳିତ ବର୍ଷ ଏହି ଧନୁଯାତ୍ରା ୭୫ ବର୍ଷରେ ପହଂଚିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଳାକାର ତଥା ଆୟୋଜକମାନେ ସଫଳ ଯାତ୍ରାର ଆୟୋଜନ ପାଇଁ ଉଦ୍ୟମ କରୁଛନ୍ତି । ଉଭୟ ରଙ୍ଗମହଲ ଓ ଦରବାର ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଂଚିଛି।

ଏଥର ମହାରାଜ କଂସଙ୍କ ଦରବାରକୁ ରାଜସ୍ଥାନୀ ମହଲ ଢାଞ୍ଚାରେ ସଜା ଯାଇଛି । ଧନୁଯାତ୍ରା ସମୟରେ ୧୧ ଦିନ ପାଇଁ ବରଗଡ଼ ସହର ମଥୁରା ନଗରୀ ଏବଂ ଅମ୍ବାପାଲି, ଗୋପପୁର ପାଲଟିବ । ଏହି ଧନୁଯାତ୍ରା ଅବସରରେ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‍ରେ ବୟନିକା ତରଫରୁ ଜାତୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଥିବାବେଳେ ଜିରା ନଦୀପଠାରେ ପଲ୍ଲିଶ୍ରୀ ମେଳା ଓ ବରଗଡ଼ ସହରରେ ୧୦ ହଜାର ବର୍ଗଫୁଟର ରଙ୍ଗୋଲୀ ପ୍ରସ୍ତୁତ ହୋଇଛି ।

ଆସନ୍ତାକାଲି ଉଦ୍‍ଘାଟନୀ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ଟି ସାଂସ୍କୃତିକ ଦଳ ଭାଗନେବେ । ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ବରଗଡ଼-ହାଟପଦା ରାଜ ଦରବାରରେ ଧନୁଯାତ୍ରା ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ ହେବ । ଏହି ଧନୁଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।