ଏବେ ଏହି ରାଜ୍ୟରେ ବଢ଼ିବ OBC ସଂରକ୍ଷଣ! ୩୨% ରୁ ୫୧% କୁ ବୃଦ୍ଧି କରିବାକୁ ସୁପାରିଶ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଜାତିଗତ ଜନଗଣନା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ରିପୋର୍ଟରେ ରାଜ୍ୟରେ ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣର ପ୍ରତିଶତକୁ ବର୍ତ୍ତମାନର ୩୨% ରୁ ୫୧% କୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି । ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା । ସରକାରୀ ସୂତ୍ର ଶନିବାର ଏହି ସୂଚନା ଦେଇଛିି ।

ସୂତ୍ର ଅନୁଯାୟୀ, ସାମାଜିକ-ଅର୍ଥନୈତିକ ଏବଂ ଶିକ୍ଷାଗତ ସର୍ଭେ (ଜାତି ଜନଗଣନା) ମଧ୍ୟ ଉଲ୍ଲେଖ କରିଛି ଯେ ପଛୁଆ ଜାତିର ଜନସଂଖ୍ୟା ୭୦ ପ୍ରତିଶତ । ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ପଛୁଆ ସମ୍ପ୍ରଦାୟକୁ ୫୧ ପ୍ରତିଶତ ସଂରକ୍ଷଣ ଦିଆଯିବା ଉଚିତ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

ସୂତ୍ର ଅନୁଯାୟୀ ଏହା ତାମିଲନାଡୁ ଏବଂ ଝାଡ଼ଖଣ୍ଡର ଉଦାହରଣ ଦେଇଛି, ଯେଉଁମାନେ ପଛୁଆ ବର୍ଗର ଜନସଂଖ୍ୟା ଅନୁସାରେ ଯଥାକ୍ରମେ ୬୯ ଏବଂ ୭୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଛନ୍ତି । ସୂତ୍ର ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ମୋଟ ଜନସଂଖ୍ୟା ୪,୧୬,୩୦,୧୫୩ । ସୂତ୍ରଗୁଡ଼ିକ ଦାବି କରିଛନ୍ତି ଯେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଜନସଂଖ୍ୟା ଯଥାକ୍ରମେ ୧,୦୯,୨୯,୩୪୭ ଏବଂ ୪୨,୮୧,୨୮୯ ।