fbpx
BJD SKY
BJD SKY

ବ୍ରିଟେନର ରାଜକୁମାରୀ କ୍ୟାନସରରେ ଆକ୍ରାନ୍ତ, ଭିଡିଓ ମେସେଜ ଜରିଆରେ ଦେଲେ ସୂଚନା

BJD

ନୂଆଦିଲ୍ଲୀ: ବ୍ରିଟେନର ରାଜକୁମାରୀ କେଟ ମିଡଲଟନ କ୍ୟାନସରରେ ଆକ୍ରାନ୍ତ। ଏନେଇ ନିଜେ ଏକ ଭିଡିଓ ମେସେଜ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି କେଟ ମିଡଲଟନ। ଏବେ ତାଙ୍କର କେମୋଥେରାପି ଚାଲିଛି। ତେବେ ଗତ ବର୍ଷ କ୍ରିସମାସ ପରଠୁ ୱାଲେସର ରାଜକୁମାର ୱିଲିୟମଙ୍କ ୪୨ ବର୍ଷୀୟ ପତ୍ନୀ କେଟ ମିଡିଲଟନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିଲା। ଏହାପରେ ସେ ଅସୁସ୍ଥ ଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ଗତ ଜାନୁଆରୀରେ କେଟ ମିଡଲଟନଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ, ଜାନୁଆରୀ ୨୯ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ କେଟ ପଶ୍ଚିମ ଲଣ୍ଡନର ୱିଣ୍ଡସର୍‌ ପ୍ୟାଲେସରେ ବିଶ୍ରାମ ନେଉଥିବା ଖବର ପ୍ରଚାରିତ ହୋଇଥିଲା। ବିଶେଷକରି ଏବେ ପ୍ରାୟ ଦୁଇ ମାସ ହେବ କେଟ ମିଡଲଟନ ସର୍ବସାଧାରଣରେ ଦେଖା ଯାଉ ନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନାନା ଅଟକଳ ଲଗା ଯାଉଥିଲା। କିନ୍ତୁ ଗତକାଲି ନିଜେ କେଟ ମିଡଲଟନ ଏକ ଭିଡିଓ ମେସେଜ ଜରିଆରେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶଂସକଙ୍କୁ ଅପଟେଡ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଭଲ ପାଉଥିବା ଅଗଣିତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ନିଜ ଭିଡିଓ ମେସେଜରେ କେଟ ମିଡଲଟନ କହିଛନ୍ତି, ‘ପେଟରେ ଯନ୍ତ୍ରଣା ହେତୁ ମୁଁ ଗତ ଜାନୁୟାରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ସେଠାରେ ସର୍ଜରୀ ପରେ ହୋଇଥିବା ପରୀକ୍ଷାରୁ ମୁଁ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସତର୍କତା ନିମନ୍ତେ କେମୋଥେରାପିର ଏକ କୋର୍ସ କରିବାକୁ ମୋ’ ମେଡିକାଲ ଟିମ୍‌ ପରାମର୍ଶ ଦେଇଥିଲେ। ସେମାନଙ୍କ ଦ୍ୱାରା ଚିକିତ୍ସିତ ହୋଇ ମୁଁ ଧୀରେ ଧୀରେ ସୁସ୍ଥ ହେଉଛି। ମେଡିକାଲ ଟିମ୍‌ ମୋ ସ୍ୱାସ୍ଥ୍ୟର ଖୁବ୍‌ ଯତ୍ନ ନେଉଛନ୍ତି। ଏବେ ମୋର କେମୋଥେରାପି ଚାଲିଛି। ମୁଁ ଏବେ ସକରାତ୍ମକ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହା ମୋତେ ଆରୋଗ୍ୟ ହେବାରେ ସାହାଯ୍ୟ କରୁଛି ଓ ପ୍ରତିଦିନ ମୁଁ ମଜବୁତ ହେଉଛି ।’

ମିଡଲଟନ ଆହୁରି ମଧ୍ୟ କହିଛନ୍ତି,ଆମ ପରିବାର ପାଇଁ ଗତ ଦୁଇ ମାସ ଖୁବ୍‌ କଠିନ ସମୟ ଥିଲା। ଜର୍ଜ, ଚାର୍ଲୋଟ ଏବଂ ଲୁଇ ମୋ’ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଖୁବ୍‌ ଚିନ୍ତିତ ହୋଇ ପଡ଼ିଥିଲେ। ମୁଁ ସୁସ୍ଥ ଥିବା ନେଇ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଆମକୁ ଖୁବ୍‌ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ତେଣୁ ଏପରି ସମୟରେ ଆମ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି କହିଛନ୍ତି କେଟ୍‌ ।

 

Get real time updates directly on you device, subscribe now.