fbpx

ଭୋଟର ହିଁ ଭଗବାନ: ଜେଲରେ ଥାଇ ସ୍ୱାଧୀନ ଭାବେ ଲଢ଼ି ୧ ଲକ୍ଷ ୨୦ ହଜାର ଭୋଟରେ ଆଗରେ ଅଛନ୍ତି ଖଲିସ୍ତାନୀ ଆତଙ୍କବାଦୀ ଅମୃତପାଲ ସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୮୯ଟିରେ, କଂଗ୍ରେସ ୨୩୬ଟିରେ ଅନ୍ୟ ଦଳ ୧୮ଟି ଆସନରେ ଅଗ୍ରଣୀ ରହିଛନ୍ତି । ଟ୍ରେଣ୍ଡ ତଳ-ଉପର ହେଉଥିବାରୁ ଅନ୍ତିମ ରାଉଣ୍ଡ ଭୋଟ ଗଣତି ନ ସରିବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ ।

ରାଜନୀତିରେ ଜନତା ହିଁ ଭଗବାନ । ଭୋଟର ଯାହାକୁ ଚାହିଁବେ ସେ ହେବ ରାଜା । ତେବେ ଭୋଟ ଗଣତି ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜେଲରେ ରହିଥିବା ଖଲିସ୍ତାନୀ ଆତଙ୍କବାଦୀ ଅମୃତପାଲ ସିଂହ ୧ ଲକ୍ଷରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି । ପଞ୍ଜାବର ଖଡୁର ସାହିବ ଲୋକସଭା ଆସନରୁ ଅମୃତପାଲ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅମୃତପାଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କୁଲବୀର ସିଂହ ଜିରାଙ୍କ ଠାରୁ ୧ ଲକ୍ଷ ୨୦ ହଜାର ୭୧୮ଟି ଭୋଟରେ ଆଗରେ ରହିଛନ୍ତି । ସେହିପରି ଆମ୍ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ୧ ଲକ୍ଷ ୪୧ ହଜାର ୨୨୩ ଖଣ୍ଡ ଭୋଟ ପାଇଛନ୍ତି । ଜଣେ ସ୍ୱାଧୀନ ଭାବେ ଲଢ଼ୁ କି ଜେଲରେ ଥାଉ, ଜନତା ଯାହାକି ଚାହିଁବେ ସେ ନିର୍ବାଚନରେ ଜିତିବ ଏହା ଅମୃତପାଲଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଏହି ଆସନରେ ଅମୃତପାଲ ୧ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ରହିଥିବାରୁ ସେ ଜିତିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

Get real time updates directly on you device, subscribe now.