ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜକୁ ନେଇ ଆତଙ୍କବାଦ ଧମକ ମିଳିଛି । ଆସନ୍ତା ୨୩ ତାରିଖରେ ଝାଡ଼ଖଣ୍ଡର ରାଞ୍ଚିତ ସ୍ଥିତ ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚତୁର୍ଥ ଟେଷ୍ଟ ଖେଳାଯିବ । ତା’ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପଟୱନ୍ତ ସିଂହ ପନ୍ନୁ ଏକ ଭିଡିଓ ଜାରି କରି ମ୍ୟାଚ ରଦ୍ଦ କରିବାକୁ ଧମକ ଦେଇଛି । ଏଥିସହିତ ଇଂଲଣ୍ଡ ଟିମକୁ ଫେରିଯିବାକୁ ମଧ୍ୟ ଭିଡିଓରେ କୁହାଯାଇଛି ।
ଶିଖ ଫର ଜଷ୍ଟିସ ଆତଙ୍କବାଦ ସଂଗଠନର ପନ୍ନୁ ପଞ୍ଜାବର ନିବାସୀ ହୋଇଥିବା ବେଳେ ସେ ଏବେ ଆମେରିକାରେ ରହୁଛି । ଆଗକୁ ରାଞ୍ଚିରେ ହେବାକୁ ଥିବା ୪ର୍ଥ ଟେଷ୍ଟ ମ୍ୟାଚ ରଦ୍ଦ କରିବାକୁ ପନ୍ନୁ ଧମକ ଦେଇଛି । ଏହି ମାମଲାକୁ ନେଇ ରାଞ୍ଚି ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି । ପୋଲିସର ବରିଷ୍ଠ ଅଧିକାରୀ ଓ ରାଞ୍ଚିର ଡେପୁଟି କମିଶନର ଏହା ଉପରେ ନଜର ରଖିଛନ୍ତି । ଏହି ଧମକଭରା ଭିଡିଓ-ଅଡିଓକୁ ଯାଞ୍ଚ କରାଯାଉଛି । ଏନେଇ ରାଞ୍ଚିରେ ଏକ ଏଫଆଇଆର ଦାୟର କରାଯାଇଛି ।