ଓଡ଼ିଶା ଭାସ୍କର: ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖରୁ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବା ସହିତ ହିଁ ଖରମାସର ଆରମ୍ଭ ହେବାକୁ ଯାଉଛି । ଏହି ଖରମାସ ଏପ୍ରିଲ ୧୩ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ କୌଣସି ବି ଶୁଭକାମ କରିବା ମନା । ଯେପରିକି ଏହି ସମୟରେ ନୂଆ ସମ୍ପତ୍ତି, ନୂଆ ବାହନ, ଗୃହ ପ୍ରବେଶ, ବିବାହ ସହିତ କୌଣସି ବି ମଙ୍ଗଳ କାର୍ଯ୍ୟ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି ।
ତେବେ ଖରମାସରେ କୌଣସି ଶୁଭ କାର୍ଯ୍ୟ କରା ନ ଯିବା ପଛରେ ସୁନ୍ଦର ପୌରାଣିକ କାହାଣୀ ରହିଛି । ଭଗବାନ ସୂର୍ଯ୍ୟ ନିଜ ବାହାନ ଘୋଡା ଉପରେ ଦୟା କରି ତାକୁୁ କିଛି ସମୟ ବିଶ୍ରାମ ଦେବାକୁ ମନ କରିଛନ୍ତି ଓ ତାକୁ ପୁଷ୍କରିଣୀକୁ ନେଇ ପାଣି ପିଆଇବାକୁ ଇଚ୍ଛା କରିଛନ୍ତି । କିନ୍ତୁ ସୂର୍ଯ୍ୟ ଭଗବାନ ସର୍ବଦା ଗତିଶୀଳ ରହିଥିବାରୁ ଏହି ସୃଷ୍ଟି ଚାଲିଛି । ସେ ଅଟକିଗଲେ ସୃଷ୍ଟି ଅଚଳ ହୋଇଯିବ । ଏହା ଚିନ୍ତା କରି ସୂର୍ଯ୍ୟ ଦେବତା ପୁଷ୍କରିଣୀ କୂଳରେ ଛିଡା ହୋଇଥିବା ଏକ ଗଧକୁ ନିଜ ରଥରେ ଲଗାଇ ଦେଇଥିଲେ । ସେ ଚିନ୍ତା କଲେ କି ଗଧ ତ ବେଶୀ ବାଟକୁ ଯାଇପାରିବ ନାହିଁ । ସଂସ୍କୃତରେ ଗଧକୁ ଖର କୁହାଯାଉଥିବାରୁ ଏହି ମାସକୁ ଖରମାସ କୁହାଯାଏ । ଏହି ସମୟରେ କୌଣସି ମଙ୍ଗଳ କାର୍ଯ୍ୟ କଲେ ତାହାର ଫଳ ମିଳି ନ ଥାଏ ବୋଲି କୁହାଯାଏ ।
ଚଳିତ ବର୍ଷ ୧୪ ମାର୍ଚ୍ଚ ଗୁରୁବାର ଦିନ ଠାରୁ ଏହି ଖରମାସ ଆରମ୍ଭ ହେଉଛି । ଏହିଦିନ ସୂର୍ଯ୍ୟ ଦେବ ସକାଳ ୧୧ଟା ୧୬ ମିନିଟ୍ରେ ମୀନ ରାଶିରେ ଗୋଚର କରିବେ । ଏହି ସମୟରେ ସୂର୍ଯ୍ୟଙ୍କ ମୀନ ସଂକ୍ରାନ୍ତି ହେବ । ଏହି ସମୟରୁ ଖରମାସ ଲାଗିଯିବ । ତେବେ ଏହି ବର୍ଷର ଦ୍ୱିତୀୟ ଖରମାସ ୧୫ ଡିସେମ୍ବର ରବିବାର ଠାରୁ ଲାଗିବ ।
ଖରମାସରେ କ’ଣ କରିବା ଉଚିତ:
-ଏହି ସମୟରେ ଦାନର ବହୁତ ମହତ୍ତ୍ୱ ରହିଛି । ଏଣୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଯେତିକି ହୋଇପାରିବ ଦୁଃଖୀ ଓ ଅସହାୟଙ୍କୁ ଦାନ କରନ୍ତୁ ।
-ଧାର୍ମିକ କାର୍ଯ୍ୟକଳାପ ଦୃଷ୍ଟିରୁ ଏହିମାସର ବହୁତ ମହତ୍ତ୍ୱ ରହିଛି । ତେଣୁ ଏହି ସମୟରେ ଧାର୍ମିକ ଯାତ୍ରା କରିବା ଶୁଭ ହୋଇଥାଏ ।
-ତୁଳସୀ ବୃକ୍ଷ ସାମ୍ନାରେ ପ୍ରତିଦିନ ଘିଅ ଦୀପ ଜଳାନ୍ତୁ ।
-ସତକର୍ମ କରି ଭଗବାନଙ୍କୁ ସ୍ମରଣ କରନ୍ତୁ । ନିତ୍ୟ ତୁଳସୀ ପୂଜା ଓ ଦାନ ସହିତ ଖରମାସକୁ କାଟିଲେ ଏହାର ବହୁତ ଶୁଭଫଳ ମିଳିଥାଏ ।