ଭୁବନେଶ୍ୱର- ରାଜଧାନୀରେ ପିଲା ବିକ୍ରି ପରି ଆସିଲା ଅଭିଯୋଗ । ନବଜାତ ନୁହେଁ ଏଥର ୪ ବର୍ଷର ଶିଶୁକୁ ବିକ୍ରି କରାଯାଇଥିବା ପରି ଆସିଲା ଅଭିଯୋଗ । ନିଜେ ବାପା ମାଆ କରିଥିଲେ ଶିଶୁର ବିକ୍ରି । ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି ।
ସୂଚନା ମୁତାବକ, ବଡଗଡ ଥାନା ଅଧୀନରେ ଏକ ଦମ୍ପତି ନିଜ ପିଲାକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ବିହାରରୁ ଆସି ରାଜଧାନୀର ବଡଗଡ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରୁଥିବା ଏହି ଦମ୍ପତି ନିଜର ୪ ବର୍ଷର ପିଲାକୁ ମାତ୍ର ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ପିଲାଟିକୁ ବିକ୍ରି କରିବାରେ ଦୁଇ ଜଣ ମହିଳା ସହାୟକ ହୋଇଥିଲେ । ଏହି ମହିଳା ଦୁଇଜଣ ପିଲା ବିକ୍ରି କାମରେ ମଧ୍ୟସ୍ଥିର କାମ ତୁଲାଇଥିଲେ । ତେବେ ଅର୍ଥାଭାବରୁ ଏହି ଦମ୍ପତି ନିଜ ପିଲାକୁ ବିକିଥିବା କୁହାଯାଉଛି । ପିଲାଟିକୁ ପିପିଲିର କସରଦା ଅଞ୍ଚଳର ଏକ ପରିବାର କିଣିଥିଲା ।
ଅଭିଯୋଗ ଆଧାରରେ ପୋଲିସ ପିଲାଟିକୁ ପିପିଲିରୁ ଉଦ୍ଧାର କରିଛି । ଏଥିସହ ମାମଲାରେ ବରଗଡ ପୋଲିସ ପିଲା କିଣା, ବିକାରେ ସାମିଲ ଥିବା ୨ ଦମ୍ପତି ଓ ୨ ମଧ୍ୟସ୍ଥିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।