KIIT ଛାତ୍ରୀ ଆତ୍ମହତ୍ୟା ଘଟଣା: ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ, ସମ୍ପର୍କ ରଖିବାକୁ…

ଭୁବନେଶ୍ୱର: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ର ଆତ୍ମହତ୍ୟା ଘଟଣାରେ ପୋଲିସ ଆଗରେ ସତ ବଖାଣିଛି ଅଭିଯୁକ୍ତ। ରିମାଣ୍ଡ ବେଳେ ପୋଲିସ ଗୁରେଇ ତୁରେଇ ଅନେକ ପ୍ରଶ୍ନ କରିଥିବା ବେଳେ ସତ ସାମ୍ନାକୁ ଆସିଛି। ଅଭିଯୁକ୍ତ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ ମୃତ ଛାତ୍ରୀଙ୍କ ସହ ଥିଲା ୨ ବର୍ଷର ପ୍ରେମ ସମ୍ପର୍କ। ତେବେ ଯୁବତୀ ସମ୍ପର୍କ ରଖିବାକୁ ଚାହୁଁନଥିବାରୁ ଝଗଡ଼ା ହେଉଥିଲା। ଘଟଣାର ଅଧିକ ପ୍ରମାଣ ପାଇଁ ଶୁକ୍ରବାର ଅଭିଯୁକ୍ତର ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ କରାଯାଇଅଛି।

ସୂଚନାଯୋଗ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ମୃତା ଛାତ୍ରୀ ହେଲେ ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌ (୨୦)। ପ୍ରକ୍ରିତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ୍‌ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନ୍‌ ଜରିଆରେ ଓଢ଼ଣିରେ ଝୁଲି ଆଖି ବୁଜିଥିଲେ।

ତେବେ ଏହି ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସ୍‌ ଅଶାନ୍ତ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍‌ରୁ ପ୍ରକ୍ରିତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶତାଧିକ ନେପାଳୀ ଛାତ୍ରୀଛାତ୍ର ରବିବାର ରାତିରୁ ଆନ୍ଦୋଳନ କରିବା ସହ ସୋମବାର ସକାଳୁ ମଧ୍ୟ ବିଶ୍ୱବିଦ୍ୟାଳୟ ସାମ୍ନା ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ। ଯାହାକୁ ନେଇ ଘଟଣା ଭିନ୍ନ ରୂପ ନେଇଥିଲା ଏବଂ ଓଡିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଥିଲା।