୮ ଲକ୍ଷର କାର, ଏତିକି କୋଟିର ସୁନା, ଜାଣନ୍ତୁ ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ସମୁଦାୟ କେତେ ରହିଛି ସଂପତ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳରୁ ୱାୟନାଡରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ମାଆ ସୋନିଆ ଗାନ୍ଧୀ , ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ କରିବା ସମୟରେ ସେ ନିଜ ସଂପତ୍ତି ମଧ୍ୟ ଘୋଷଣା କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କ ପାଖରେ ୮ ଲକ୍ଷର କାର ଏବଂ ୧.୧୫ କୋଟିର ସୁନା ରହିଛି।

ଲୋକସଭା ଉପନିର୍ବାଚନ ପାଇଁ ୱାୟନାଡରୁ ନିଜର ପ୍ରଥମ ନିର୍ବାଚନ ମୁକାବିଲା ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ସକାଳ ପ୍ରାୟ ୧୧ଟା ୪୫ରେ ୱାୟନାଡର କଲପେଟ୍ଟାରେ ବିଶାଳ ରୋଡ ଶୋରେ ସାମିଲ ହୋଇଥିଲେ।

ପ୍ରିୟଙ୍କା ଗାନ୍ଧୀ ଆଫିଡେବିଟରେ ୪ କୋଟି ୨୪ ଲକ୍ଷର ସଂପତ୍ତି ଘୋଷଣା କରିଛନ୍ତି। ତାଙ୍କ ପାଖରେ ୫୨ ହଜାର ଟଙ୍କା କ୍ୟାସ, ୨ କୋଟି ୨୪ ଲକ୍ଷର ମିଚ୍ୟୁଆଲ ଫଣ୍ଡ, ବ୍ୟାଙ୍କ ଖାତାରେ ୧୭ ଲକ୍ଷ ୩୮ ହଜାର ଟଙ୍କା, ଏକ ହୋଣ୍ଡା ସିଆରବି କାର, ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ରହିଛି। ଏହାକୁ ତାଙ୍କ ସ୍ୱାମୀ ଉପାହର ଦେଇଥିଲେ। ଏହା ବ୍ୟତୀତ ୧ କୋଟି ୧୫ ଲକ୍ଷ ଟଙ୍କାର ସୁନା ଏବଂ ୨୯ ଲକ୍ଷର ରୂପା ମଧ୍ୟ ତାଙ୍କ ପାଖେ ରହିଛି।

ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ୨ କୋଟି ୧୦ ଲକ୍ଷ ୧୩ ହଜାର ୫୯୮ ଟଙ୍କାର ଫସଲ ଜମି ରହିଛି, ଯାହା ଦିଲ୍ଲୀର ପାଖ ଗାଁ ସୁଲତାନପୁର ମହରୋଲୀରେ ଅଛି ଏବଂ ଏଥିରେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କର ମଧ୍ୟ ଭାଗ ରହିଛି। ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ହିମାଚଳ ପ୍ରଦେଶର ଶିମଲାରେ ୫କୋଟି ୬୩ ଲକ୍ଷ ୯୯ ହଜାର ଟଙ୍କାର ଏକ ଜମି ମଧ୍ୟ ରହିଛି।