ନୂଆଦିଲ୍ଲୀ: ଭାରତରେ ଏମିତି ଏକ ଶିଶୁର ଜନ୍ମ ହୋଇଛି, ଯାହା ସାରା ଦେଶ ସହିତ ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି । ଶିଶୁ ଶରୀରର ଗଠନ ଦେଖି ଏହାକୁ ଏକ ବିରଳ ଶିଶୁ ବୋଲି କୁହାଯାଉଛି । କାରଣ ଏହି ନବଜାତ ଶିଶୁଟିର ରହିଛି ଦୁଇଟି ମୁଣ୍ଡ, ତିନୋଟି ହାତ ଓ ଦୁଇଟି ହୃଦୟ । ତେବେ ଏହି ଉପାୟରେ ଜନ୍ମ ହୋଇଥିବା ଶିଶୁମାନଙ୍କର ବଞ୍ଚିବାର ସମ୍ଭାବନା ବହୁତ୍ କମ ହୋଇଥାଏ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଡିସ୍ଫାଇଲିକ୍ ପାରାଫାଗସ୍ ନାମକ ଏକ ରୋଗ । ଯାହା ଫଳରେ ଏଭଳି ଶିଶୁ ଜନ୍ମ ହେବାର ସମ୍ଭାବନା ଥାଏ ।
ଚନା ଅନୁସାରେ, ମଧ୍ୟପ୍ରଦେଶର ରତଲାମରେ ରହୁଥିବା ଦମ୍ପତ୍ତି ସୋହେଲ୍ ଖାନ୍ ଓ ତାଙ୍କ ସ୍ୱାମୀ ଶାହିନ୍ ଖାନ୍ ଙ୍କୁ ଡାକ୍ତର କହିଥିଲେ ଯେ ତାଙ୍କର ଯାଆଁଳା ଶିଶୁ ଜନ୍ମ ହେବାକୁ ଯାଉଛନ୍ତି । କିନ୍ତୁ ଯେତେବେଳେ ଏହି ଦମ୍ପତ୍ତିଙ୍କର ଶିଶୁ ଜନ୍ମ ହୋଇଥିଲା ସେତେବେଳେ ଡାକ୍ତରଙ୍କ ସମେତ ପ୍ରସୂତୀ ୱାର୍ଡରେ ଥିବା ସମସ୍ତ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଜନ୍ମ ହୋଇଥିବା ଶିଶୁର ଦୁଇଟି ମୁଣ୍ଡ ତିନୋଟି ହାତ ଓ ଗୋଡ ସମେତ ଦୁଇଟି ହୃଦୟ ଥିଲା । ତେବେ ଏହି ମାମଲାକୁ ଦେଖିବା ପରେ ଡାକ୍ତରମାନେ କହିଛନ୍ତି ଯେ ଏହା ହେଉଛି ଡିସଫାଲିକ୍ ପାରାଫାଗସ୍ ନାମକ ଏକ ବିରଳ ରୋଗ । ଏହିପରିି ଜନ୍ମ ହେଉଥିବା ପିଲାମାନଙ୍କର ବଞ୍ଚିବାର ସମ୍ଭାବନା ବହୁତ କମ୍ ହୋଇଥାଏ । ତେବେ ଏହି ଡିସଫାଲିକ୍ ପାରାଫାଗସ୍ ରୋଗ କ’ଣ ? ପିଲାମାନେ କିପରି ଏକତ୍ର (ଯାଆଁଳା)ଜନ୍ମ ହୁଅନ୍ତି ଏବଂ ଏହାର କାରଣ କଣ ?
ଡିସଫାଲିକ୍ ପାରାଫାଗସ୍ ରୋଗ କ’ଣ?
ଡିସଫାଲିକ୍ ପାରାଫାଗସ୍ ରୋଗ ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ସହିତ ଆଂଶିକ ମିଳନର ଏକ ବିରଳ ରୂପ । ନବଜାତ ଶିଶୁମାନଙ୍କର ଏହିପରି ମିଳନକୁ ସାଧାରଣ ଭାଷାରେ ଯୋଡାମୁଣ୍ଡ ଶିଶୁ କୁହାଯାଇଥାଏ । ଏହି ପରି ଜନ୍ମ ହେଉଥିବା ଅଧିକାଂଶ ଶିଶୁମାନେ ଜନ୍ମ ପୂର୍ବରୁ କିମ୍ବା ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି । ତେବେ ଏପରି ଯାଆଁଳା ଶିଶୁମାନେ ପେଟ କିମ୍ବା ପେଟ ଓ ଛାତି ସହିତ ଯୋଡି ହୋଇଥାନ୍ତି । କିନ୍ତୁ ଏମାନଙ୍କର ମୁଣ୍ଡ ଅଲଗା ହୋଇଥାଏ । ଏହି ଯାଆଁଳା ଶିଶୁମାନଙ୍କର ଦୁଇ, ତିନି କିମ୍ବା ଚାରିଟି ହାତ ଓ ଗୋଡ ରହିଥାଏ । ସେହିପରି ଏମାନଙ୍କ ଶରୀରର ଅଙ୍ଗ ଗୁଡିକ ବେଳେବେଳେ ସମାନ କିମ୍ବା ଭିନ୍ନ ମଧ୍ୟ ହୋଇଥାଏ ।
ତେବେ ପାରାଫାଗସ ରୋଗର କୌଣସି ଲକ୍ଷଣ ନଥାଏ । ଯାହା ମାଧ୍ୟମରେ ଏହା ଜଣା ପଡିବ ଯେ ଯାଆଁଳା ଶିଶୁ ଜନ୍ମ ହେବ କି ନାହିଁ । ଯାଆଁଳା ଗର୍ଭଧାରଣ ଗର୍ଭାଶୟରେ ସ୍ୱାଭାବିକ ଅପେକ୍ଷା ଶୀଘ୍ର ବଢିଥାଏ । ଏଥି ସହିତ ଗର୍ଭଧାରଣର ପ୍ରଥମ ଦିନ ମାନଙ୍କରେ ମହିଳାମାନେ ଅଧିକ ଥକାପଣ, ମୁଣ୍ଡ ବୁଲାଇବା ଓ ବାନ୍ତି ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଅଲଟ୍ରାସାଉଣ୍ଡ ମାଧ୍ୟମରେ ମହିଳାମାନେ ଏହି ଯୋଡାଶିଶୁଙ୍କ ବିଷୟରେ ଜାଣି ପାରିବେ ।
କିପରି ଜନ୍ମ ହୁଅନ୍ତି ଯୋଡା ଶିଶୁ ?
ଗର୍ଭଧାରଣର କିଛି ସପ୍ତାହ ପରେ ଫର୍ଟିଲାଇଜଡ୍ ଅଣ୍ଡା ଦୁଇଟି ଅଲଗା ଅଲଗା ଭୃଣରେ ବିଭକ୍ତ ହୋଇଥାନ୍ତି । ଏଥିରେ ଅଙ୍ଗ ଗଠନ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏପରି ହେବା ଦ୍ୱାରା ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି । କିନ୍ତୁ କିଛି କ୍ଷେତ୍ରରେ ଭୃଣକୁ ପୃଥକ୍ କରିବାର ଏହି ପ୍ରକ୍ରିୟା ମଧ୍ୟଭାଗରେ ବନ୍ଦ ହୋଇଯାଏ । ଯାହାଫଳରେ ଯାଆଁଳା ଶିଶୁ ଜନ୍ମ ହେବା ପରିବର୍ତ୍ତେ ଯୋଡା ଶିଶୁ ଜନ୍ମ ହୋଇଥାନ୍ତି । ସାଧରଣତଃ ଏହି ଯୋଡା ଶିଶୁମାନେ ପରସ୍ପର ସହିତ ଶରୀରର କେଉଁ ଅଙ୍ଗ ସହିତ ଯୋଡି ହୋଇଥାନ୍ତି ତାହାକୁ ଦେଖି ଏମାନଙ୍କୁ ଶ୍ରେଣୀଭୁକ୍ତ କରାଯାଏ । ତେବେ ଅନେକ ସମୟରେ ଏହି ଯୋଡା ଶିଶୁମାନେ ଶରୀରର କୌଣସି ଅଙ୍ଗ ସହିତ ଯୋଡି ହୋଇଥିବା ବେଳେ କିଛି ଶିଶୁ ପରସ୍ପର ସହିତ ସମାନ ଅଙ୍ଗ ସହ ଯୋଡି ହୋଇଥାନ୍ତି ।
ଏହି ଅଙ୍ଗ ସହିତ ଯୋଡି ହୋଇଥାନ୍ତି ଯାଆଁଳା ଶିଶୁ :
ଛାତି- ଯୋଡା ଶିଶୁମାନେ ଅନେକ କ୍ଷେତ୍ରରେ ଛାତି ସହିତ ଯୋଡି ହୋଇଥାନ୍ତି । ଏହି ଅଙ୍ଗ ସହିତ ଯୋଡି ହୋଇଥିବା ଶିଶୁମାନଙ୍କର ମୁଖ୍ୟତଃ ହୃଦୟ, ଯକୃତ, ଏବଂ ବଡ ଅନ୍ତନଳି ସମାନ ହୋଇଥାଏ ।
ପେଟ- ଅନେକ ଥର ଶିଶୁମାନେ ପେଟ ସହିତ ଯୋଡି ହୋଇଥାନ୍ତି । ଏହିଭଳି ଯୋଡି ହୋଇଥିବା ଶିଶୁମାନଙ୍କର କ୍ଷୁଦ୍ର ଅନ୍ତନଳୀ, ଯକୃତ ଓ କୋଲନ୍ ସମାନ ହୋଇଥାଏ । ଏହି ପିଲାମାଙ୍କର ହୃଦୟ କିନ୍ତୁ ଅଲଗା ଅଲଗା ହୋଇଥାଏ ।
ମୁଣ୍ଡ- ଏଥିରେ ପିଲାମାନଙ୍କ ମୁଣ୍ଡର ଆଗ କିମ୍ବା ପଛ ଭାଗ ପରସ୍ପର ସହିତ ଯୋଡି ହୋଇ ରହିଥାଏ । ଏହି ଅଙ୍ଗ ସହିତ ଯୋଡି ହୋଇଥିବା ପିଲାମାନଙ୍କର ମୁଣ୍ଡ ସମାନ ରହିଥିବା ବେଳେ ସେମାନଙ୍କର ମସ୍ତିଷ୍କ ଅଲଗା ହୋଇଥାଏ ।
ମୁଣ୍ଡ ଏବଂ ଛାତି – ଏଥିରେ ଉଭୟଙ୍କର ମୁହଁ ଏବଂ ଶରୀରର ଉପର ଅଂଶ ଯୋଡି ହୋଇ ରହିଥାଏ । ଏହିପରି ଜନ୍ମ ହୋଇଥିବା ଶିଶୁମାନଙ୍କର ମୁହଁ ପରସ୍ପର ଠାରୁ ବିପରୀତ ଦିଗକୁ ହୋଇଥିବା ବେଳେ ସେମାନଙ୍କ ମସ୍ତିଷ୍କ ସମାନ ହୋଇଥାଏ । ଏହିଭଳି ଜନ୍ମ ହୋଇଥିବା ଶିଶୁଙ୍କର ୨ ରୁ ୪ଟି ହାତ ହୋଇଥିବା ବେଳେ ଗୋଡ ମଧ୍ୟ ୨ କିମ୍ବା ୩ଟି ରହିଥାଏ ।
ସେହିପରି ଅନେକ କ୍ଷେତ୍ରରେ ଦେଖାଯାଏ ଯେ ଯୋଡା ଶିଶୁମାନେ ଅନ୍ୟ ଶିଶୁଙ୍କ ତୁଳନାରେ କମ୍ ବିକଶିତ ହୋଇଥାନ୍ତି ।