fbpx

World Cup ଫାଇନାଲ ମ୍ୟାଚରେ ଆଉଟ ହେଲେ କୋହଲି: ଅନୁଷ୍କା ଶର୍ମାଙ୍କ ରିଆକ୍ସନ ହେଉଛି ଭାଇରାଲ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚରେ ବିରାଟ କୋହଲି ନିଜ ନାମରେ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତ ବିଶ୍ୱକପରେ ମୋଟ ୧୧ଟି ମ୍ୟାଚରୁ ୭୬୫ ରନ୍ କରିଛନ୍ତି କିଙ୍ଗ କୋହଲି । ଏହାସହ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ କରିବାରେ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି ବିରାଟ । ତେବେ ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ପାଟ କମିନ୍ସଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି କୋହଲି । କିନ୍ତୁ ବିରାଟଙ୍କ ୱିକେଟ ପରେ ପତ୍ନୀ ଅନୁଷ୍କାଙ୍କ ରିଆକ୍ସନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ବ୍ୟାଟିଂ ବିପର୍ଯ୍ୟୟ ପରେ ବିରାଟ ଅର୍ଦ୍ଧଶତକ ହାସଲ କରି ପାଳି ସମ୍ଭାଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସଙ୍କ ଶିକାର ପାଲଟିଛନ୍ତି ବିରାଟ । ବିରାଟ କୋହଲିଙ୍କୁ ପ୍ରଥମରୁ ସଟ୍ ଲେନ୍ଥ ବଲ ପକାଟ୍ୱାରମ୍ବାର ସମସ୍ୟାରେ ପକାଇଥିଲେ କିନ୍ସ । ଶେଷରେ ଏକ ବଲ କୋହଲିଙ୍କ ବ୍ୟାଟର ଇନ୍ ସାଇଡ ଏଜ୍ ଲାଗି ୱିକେଟରେ ବାଜିଛି । ଫଳରେ ଫାଇନାଲ ମ୍ୟାଚରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି କୋହଲି । ତେବେ ବିରାଟଙ୍କ ୱିକେଟ ପରେ ଷ୍ଟାଡିୟମରେ ପତ୍ନୀ ଅନୁଷ୍କାଙ୍କ ରିଆକ୍ସନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କୋହଲିଙ୍କ ୱିକେଟକୁ ଅନୁଷ୍କା ସହଜରେ ଗ୍ରହଣ କରିପାରି ନାହାନ୍ତି । ଅନୁଷ୍କା ବିରାଟଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।

ଫାଇନାଲ ମାଚରେ ଭାରତର ଟପ୍ ଅର୍ଡର ଫେଲ ମାରିବା ପରେ ବିରାଟ ପାଳି ସମ୍ଭାଳିଥିବା ବେଳେ ଆଜି ପୁଣି ଏକ ଶତକ ଆଶା ରଖିଥିଲା ଭାରତ । କିନ୍ତୁ ଏହି ଆଶା ସତରେ ପରିଣତ ହୋଇନାହିଁ । ୫୪ ରନ୍ କରି ପାଭିଲିୟନ ଫେରିଛନ୍ତି କୋହଲି । ବିରାଟଙ୍କ ବ୍ୟତୀତ କେ.ଏଲ୍ ରାହୁଲ ମଧ୍ୟ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଛନ୍ତି । ୩୧ ବଲରେ ୪୭ ରନ୍ ସ୍କୋର କରିବା ପରେ ଅଧିନାୟକ ରୋହିତ ଆଉଟ୍ ହୋଇଥିବା ବେଳେ ଗିଲ୍ ଏବଂ ଶ୍ରେୟସ ୪ ରନ୍ ଲେଖାଏଁ କରି ପାଭିଲିୟନ ଫେରିଛନ୍ତି । ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ତିନୋଟି ୱିକେଟ୍ ନେଇଥିବାବେଳେ ଜୋସ୍ ହାଜଲେଉଡ୍ ଏବଂ ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଏହାବ୍ୟତୀତ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.