କୋଲକାତା ଲ’ କଲେଜ ଗ୍ୟାଙ୍ଗରେପ୍ ମାମଲା, ସାମ୍ନାକୁ ଆସିଲା ରେପ୍ ବେଳର CCTV ଫୁଟେଜ୍
ସିସିଟିଭି ଯାଞ୍ଜ କରୁଛି ପୋଲିସ। ଛାତ୍ରୀଙ୍କ ଅଭିଯୋଗ ସହ ମେଳ ଖାଉଛି ସିସିଟିଭି ଫୁଟେଜ୍।
କୋଲକାତା: ଜୁନ୍ ୨୫ ତାରିଖରେ ଦକ୍ଷିଣ କୋଲକାତା ଆଇନ କଲେଜର ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗାର୍ଡ ରୁମ୍ରେ ଦୁଇଜଣ ବରିଷ୍ଠ ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଲ କଲେଜ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମାଲାରେ ମନୋଜିତ ମିଶ୍ରଙ୍କୁ ମୁକ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ, ଜାଇବ୍ ଅହମ୍ମଦ ଏବଂ ପ୍ରମିତ ମୁଖାର୍ଜୀଙ୍କୁ ସହ ଅଭିଯୁକ୍ତ ବୋଲି ଅଭିଯୋଗ ହୋଇଛି।
କଲେଜରୁ ମିଳିଥିବା ସିସିଟିଭି ଫୁଟେଜ୍ ଛାତ୍ରୀଙ୍କ ଦ୍ୱାରା ପୋଲିସକୁ ଲିଖିତ ଅଭିଯୋଗରେ କରାଯାଇଥିବା ଗଣଦୁଷ୍କର୍ମ ଅଭିଯୋଗକୁ ନିଶ୍ଚିତ କରିଛି। ତେବେ ଆସନ୍ତୁ ଜାଣିବା ଅଭିଯୁକ୍ତ ମନୋଜିତ ମିଶ୍ର, ଜାଇବ୍ ଅହମ୍ମଦ ଏବଂ ପ୍ରମିତ ମୁଖାର୍ଜୀ କିଏ?
ମନୋଜିତ ମିଶ୍ର କିଏ: କୋଲକାତାର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ୩୧ ବର୍ଷୀୟ ମନୋଜିତ ମିଶ୍ର ଆରମ୍ଭରୁ ବିବାଦରେ ରହି ଆସିଛନ୍ତି। ସେ ସାଉଥ୍ ଲ’ କଲେଜର ପୂର୍ବତନ ଛାତ୍ର ଏବଂ ଛାତ୍ର ନେତା।
ଆରମ୍ଭରୁ ସେ ଆଇନ ପଢ଼ିବାରେ ବହୁତ ଆଗ୍ରହୀ ଥିଲେ। କିନ୍ତୁ ସମୟ ସହିତ ସେ କ୍ୟାମ୍ପସ୍ ରାଜନୀତିରେ ସାମିଲ ହୋଇଗଲେ, ଏବଂ ତାପରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଏଥିରେ ବୁଡ଼ାଇ ଦେଲେ।
ସେ ୨୦୦୭ ମସିହାରେ କଲେଜରେ ପ୍ରବେସ କରିତିଲେ। କିନ୍ତୁ ରାଜନୀତି ଯୋଗୁଁ ସେ ତାଙ୍କ ପାଠପଢ଼ା ମଝିରେ ଛାଡ଼ି ଦେଇଥିଲେ। ସେ ପାଠପଢ଼ା ଅପେକ୍ଷା୍ ରାଜନୀତିରେ ଅଧିକ ସମୟ ଦେଲେ।
ସେ ୨୦୧୨ ମସିହାରେ କଲେଜରେ ଛାତ୍ର ସଂଘର ସାଧାରଣ ସମ୍ପାଦକ ମଧ୍ୟ ରହିସାରିଛନ୍ତି। ୨୦୧୭ ଏବଂ ତାପରେ ୨୦୨୧ ମସିହାରେ ମନୋଜିତଙ୍କ ନାମ ଅନେକ ବିବାଦ ସହିତ ଜଡିତ ହୋଇଥିଲା।
ବାପା ସମ୍ପର୍କ ଭାଙ୍ଗିଦେଲେ: ମନୋଜିତଙ୍କ ବାପା ରବିନ୍ ମିଶ୍ର ତାଙ୍କ ଆଚରଣ ଯୋଗୁଁ ତାଙ୍କ ସହିତ ସମସ୍ତ ସମ୍ପର୍କ କାଟି ତାଙ୍କୁ ଘରୁ ବାହାର କରିଦେଇଥିଲେ।
ସେତେବେଳେ ମନୋଜିତ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (TMCP)ର କଲେଜ ୟୁନିଟର ପୂର୍ବତନ ସଭାପତି ଥିଲେ। ଯାହା ତୃଣମୂଳ କଂଗ୍ରେସ ଅର୍ଥାତ୍ TMCର ଛାତ୍ର ଶାଖା।
ବର୍ତ୍ତମାନ, ସେ ଆଲିପୁର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ କରିବା ସହିତ, କଲେଜରେ ଠିକାରେ ଅଣ-ଶିକ୍ଷକ କର୍ମଚାରୀ ଭାବରେ ପ୍ରଶାସନ କାର୍ଯ୍ୟାଳୟର କାର୍ଯ୍ୟ ପରିଚାଳନା କରୁଥିଲେ। ସେ କଲେଜର ‘ପାୱାର ସେଣ୍ଟର’ ଭାବରେ ମଧ୍ୟ ଜଣାଶୁଣା।
ଜାଇବ ଅହମ୍ମଦ କିଏ: ଛାତ୍ରୀଙ୍କ ବଳାତ୍କାର ମାମଲାରେ ମନୋଜିତଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଅଭିଯୁକ୍ତ ୧୯ ବର୍ଷୀୟ ଜାଇବ ଅହମ୍ମଦ ତୋପସିଆ ଅଞ୍ଚଳର ଏକ ସରଳ ପରିବାରରୁ ଆସିଛନ୍ତି।
ସେ ପ୍ରଥମ ବର୍ଷର ଆଇନ ଛାତ୍ର, ଗୋଟିଏ ବର୍ଷ ଧରି କଲେଜରେ ପଢୁଛନ୍ତି। ସେ ୨୦୨୪ ମସିହାରେ କଲେଜରେ ଆଡମିସନ୍ ନେଇଥିଲେ ଏବଂ ସେବେଠାରୁ ମନୋଜିତଙ୍କ ସଂସ୍ପର୍ଶରେ ଆସିଥିଲେ। ମନୋଜିତଙ୍କ ନିକଟତର ହେବା ପରେ, ଜାଇବ ଛାତ୍ର ସଂଘର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲେ।
ପ୍ରମିତ ମୁଖାର୍ଜୀ କିଏ: ୨୦ ବର୍ଷୀୟ ପ୍ରମିତ ମୁଖାର୍ଜୀ, ଯାହାକୁ ମନୋଜିତଙ୍କ ନିକଟତର ବୋଲି କୁହାଯାଏ। ସେ ଆଇନ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ଏବଂ କିଛି ଦିନ ଧରି ମନୋଜିତଙ୍କ ନିକଟତର ଅଛନ୍ତି।
ତାଙ୍କୁ ଅନେକ ଥର ମନୋଜିତଙ୍କ ସହିତ ଦେଖାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାରେ ତାଙ୍କର କ’ଣ ଭୂମିକା ଥିଲା ଏବଂ ସେ ଚାପରେ ଜଡିତ ଥିଲେ ନା ଅନ୍ୟ କୌଣସି କାରଣ ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି।
ସିସିଟିଭି ଫୁଟେଜ୍ : ପୋଲିସ କହିଛି ଯେ ଦକ୍ଷିଣ କଲିକତା ଆଇନ କଲେଜରୁ ମିଳିଥିବା ସିସିଟିଭି ଫୁଟେଜ୍ ବଳାତ୍କାର ଅଭିଯୋଗରେ ଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ନିଶ୍ଚିତ କରିଛି।
ଫୁଟେଜ୍ ଜୁନ୍ ୨୫ ତାରିଖରେ ଘଟିଥିବା ଘଟଣା ପୂର୍ବର ମୁହୂର୍ତ୍ତଗୁଡ଼ିକୁ ମଧ୍ୟ କଏଦ କରିଛି, ଯେଉଁଥିରେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ବଳପୂର୍ବକ ଗାର୍ଡଙ୍କ ରୁମକୁ ନେଉଥିବାର ଦେଖାଯାଇଛି।
ପୋଲିସ ଶନିବାର ସୂଚନା ଦେଇଛି କି, “ସିସିଟିଭି ଫୁଟେଜ୍ ଝିଅର ଅଭିଯୋଗକୁ ନିଶ୍ଚିତ କରୁଛି। ଏହା ତିନି ଅଭିଯୁକ୍ତ, ସୁରକ୍ଷା କର୍ମୀ ଏବଂ ପୀଡିତାଙ୍କ କାର୍ଯ୍ୟକଳାପକୁ ଦର୍ଶାଉଛି। ଆମେ ବର୍ତ୍ତମାନ ଫୁଟେଜ୍ ଯାଞ୍ଚ କରୁଛୁ।”