ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ARI, ଏକକାଳୀନ 8 ସ୍ଥାନରେ ଚଢାଉ

ଭୁବନେଶ୍ବର: ରାଜସ୍ବ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଜାଲରେ କୋରାପୁଟ ବୋରିଗୁମ୍ମା ତହସିଲ ଏଆରଆଇ । ସୁରେନ୍ଦ୍ର ତନ୍ତିଙ୍କ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଏହି ଚଢାଉ କରାଯାଇଛି । କୋରାପୁଟ ଓ ଜୟପୁର ସମେତ ଏକକାଳୀନ 8ଟି ସ୍ଥାନରେ ରେଡ୍ କରାଯାଇଛି । ବୋରିଗୁମ୍ମା ସ୍ଥିତ ବାସଭବନ ସହିତ ଝିଅଙ୍କ ଘରେ ମଧ୍ୟ ରେଡ୍ ଜାରି ରହିଥିବା ଜଣାପଡିଛି । ଅନ୍ୟପଟେ ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି । ସେହିପରି ସରକାରୀ କାର୍ଯ୍ୟାଳୟ ସହିତ ତାଙ୍କ ମାର୍କେଟ କମ୍ପ୍ଲେକ୍ସରେ ଚଢାଉ କରାଯାଉଛି ।  ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ୫ ଜଣ ଏଏସଆଇ ଏହି ଚଢ଼ାଉରେ ସାମିଲ ହୋଇଥିବା ସୂଚନା ମିଳିଛି।

ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ବାସଭବନ, ଅଫିସ , ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ, ସଂପର୍କୀୟଙ୍କ ଘର ରହିଛି । ତେବେ ଆରଆଇ ବାବୁଙ୍କ ଠାରୁ କେତେ ପରିମାଣର ସମ୍ପତ୍ତି ଜବତ କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଅନୁମାନ କରାଯାଉଛି ।