fbpx

କୋରାପୁଟିଆ ଛତୁ ‘ଶ୍ରାବଣ କଢ଼’ର ଚାହିଦା, କିଲୋ ୧୬୦୦ ଟଙ୍କା

କୋରାପୁଟ(ଓଡ଼ିଶା ଭାସ୍କର): ବର୍ଷା ଦିନ ଆସିଯାଇଛି । ଆଉ କୋରାପୁଟିଆ ଛତୁର ଚାହିଦା ବଢ଼ି ଚାଲିଛି । ଜିଲ୍ଲାର ଜୟପୁର ବଜାରରେ ସମ୍ପ୍ରତି ଲାଗିଛି ଭଳିକି ଭଳି କୋରାପୁଟିଆ ଛତୁର ପସରା । ପ୍ରାକୃତିକ ପରିବେଶ ମଧ୍ୟରେରେ ଏସବୁ ଛତୁଗୁଡ଼ିକ ଫୁଟି ଥାଏ । ବଜାରରେ ବଡ଼ା, ଶ୍ରାବଣ, ବାଲିସୁରିୟା, ଖୁଦ, କେନ୍ଦୁଭୁଜୁଲି ଭଳି ଛତୁ ମିଳୁଛି । ରାସ୍ତାକଡ଼ରେ ପସରା ମେଲାଇ ବସିଛନ୍ତି ବ୍ୟବସାୟୀ । ଫୁଟିଲା ଛତୁ ଠାରୁ ଆରମ୍ଭ କରି କଢ଼ ଛତୁର ବେଶ୍ ଚାହିଦା ରହିଛି ।

ଶ୍ରବଣ କଢ଼ ଛତୁ ଦର କିଲୋ ପିଛା ୧୬୦୦ଟଙ୍କା ଥିବାବେଳେ ଫୁଟିଲା ଛତୁ ଦର ୧୦୦୦ରୁ ୧୨୦୦ ଟଙ୍କା ମଧ୍ୟରେ ରହିଛି । ଏହା କୋରାପୁଟର ସବୁଠାରୁ ଦାମୀ ଛତୁ । ବଡ଼ା ଛତୁ ପ୍ରଥମେ କିଲୋ ପିଛା ୧୦୦୦ରୁ ୧୨୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଏବେ ଏହା କିଲୋ ପିଛା ୫୦୦ରୁ ୭୦୦ ମଧ୍ୟରେ ବିକ୍ରି ଚାଲିଛି। ସେହିପରି ବାଲି ସୁରିୟା ଛତୁ କିଲୋ ପିଛା ୫୦୦ରୁ ୬୦୦ ଟଙ୍କା ଏବଂ ଖୁଦ ଛତୁ କିଲୋ ପିଛା ୪୦୦ରୁ ୫୦୦ ଟଙ୍କା ମଧ୍ୟରେ ମିଳୁଛି । ଏସବୁ ପ୍ରାକୃତିକ ଛତୁ କୋରାପୁଟ ଓ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ମିଲିଥାଏ । ତେବେ ସବୁଠାରୁ ଲୋକପ୍ରିୟ ଓ ଦାମୀ ଛତୁ ହେଉଛି ଶ୍ରାବଣ ଛତୁ । ବର୍ଷକୁ କେବଳ ଶ୍ରାବଣ ଓ ଭାଦ୍ରବ ମାସରେ ଏହା ଫୁଟିଥାଏ । ଏହି ଛତୁ ଚାଷ ହେଉନଥିବା ବେଳେ ପ୍ରାକୃତିକ ପରିବେଶରେ ହିଁ ଫୁଟିଥାଏ । ଶ୍ରାବଣ ମାସରେ ହିଁ ଏହା ପ୍ରଥମେ ଫୁଟୁଥିବାରୁ ଏହାର ନାମ ଶ୍ରାବଣ ଛତୁ । ଏହା ଖୁବ ସ୍ୱାଦିଷ୍ଟ ହୋଇଥିବାରୁ ଚାହିଦା ବି ଭଲ ରହିଛି । ଚଳିତବର୍ଷ ୩ ଦିନ ହେଲା ଏହି ଛତୁ ବଜାରକୁ ଆସିଥିବା ବେଳେ ଦର ୧୬୦୦ଟଙ୍କାରୁ ଖସି ୧୪୦୦ ଟଙ୍କାରେ ପହଞ୍ଚିଛି । ତେବେ ଲଗାଣ ବର୍ଷା ଲାଗି ରହିଥିବାରୁ ଛତୁ କମ ପରିମାଣର ବଜାରକୁ ଆସିଛି । ଟିକେ ଖରା ହେବା ପରେ ଅଧିକା ଛତୁ ବଜାରକୁ ଆସିବ ଓ ଦର ଖସିବ ବୋଲି କହିଛନ୍ତି ବ୍ୟବସାୟୀ । ଫୁଟିବା ଛତୁ ତୁଳନାରେ କଢ଼ ଛତୁର ଡିମାଣ୍ଡ ବେଶୀ । ଶ୍ରାବଣ ଛତୁ କିଲୋ ପିଛା ୨ହଜାର ଟଙ୍କା ଦର ହେଲେ ମଧ୍ୟ ଗ୍ରାହକ ଖାତିର କରନ୍ତି ନାହିଁ ।

ନିରାମିଷାଶୀଙ୍କ ପ୍ରଥମ ପସନ୍ଦରେ ଛତୁ ରହିଥିବାବେଳେ ସାଧାରଣତଃ ବଜାରରେ ମିଳୁଥିବା ବଟନ କି ପାଳ ଛତୁ ଚାଷ କରି ଉତ୍ପାଦନ କରାଯାଇଥାଏ । କିନ୍ତୁ ଏହି କୋରାପୁଟିଆ ଛତୁ ପ୍ରକୃତିର ବରଦାନ । ଏହି ଛତୁରେ ମସଲା ଭଜା, ବେସର ଠାରୁ ଆରମ୍ଭ କରି ପକୋଡ଼ା ଭଳି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଓଷଧୀୟ ଗୁଣ ରହିଥିବା ଅନେକ ମତ ଦେଇଥିବାବେଳେ ବିଶେଷକରି ଜଙ୍ଗଲରୁ ଆଦିବାସୀ ମହିଳାମାନେ ଛତୁ ସଂଗ୍ରହ କରିଥାନ୍ତି ।

Get real time updates directly on you device, subscribe now.